ନୂଆଦିଲ୍ଲୀ,୯।୮: ଭାରତର ଜଣେ ମହିଳା ନିଜର ଅତି ଲମ୍ବା କେଶ ପାଇଁ ଏକ ନୂତନ ଓ୍ବାଲର୍ଡ ରେକର୍ଡ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ହଲଦଓ୍ବାନୀ ସହରର ରେଣୁ ଧାରିଓ୍ବାଲ ବିଶ୍ୱରେ ସବୁଠାରୁ ଲମ୍ବା କେଶ ରହିବାର ରେକର୍ଡ ହାସଲ କରିଛନ୍ତି, ଯାହାର ଲମ୍ବ ପ୍ରାୟ ୮ ଫୁଟରୁ ଅଧିକ। ଗିନିଜ୍ ଓ୍ବାଲର୍ଡ ରେକର୍ଡ ଦ୍ୱାରା ଔପଚାରିକ ଭାବେ ଯାଞ୍ଚ କରାଯିବା ପରେ ରେଣୁଙ୍କ କେଶର ଲମ୍ବ ୨୭୧.୫୦ ସେମି (୮ଫୁଟ ୧୦ ଇଞ୍ଚ)ବୋଲି ଜଣାପଡ଼ିଛି। ଏହା ସବୁଠାରୁ
ଲମ୍ବା ବ୍ୟକ୍ତି ରବର୍ଟ ଓ୍ବାଡ୍ଲୋ(୨୭୨ସେମି)ଙ୍କ ଉଚ୍ଚତାଠାରୁ ମାତ୍ର କିଛି କମ୍ ଅଟେ। ଗତ ଏପ୍ରିଲରେ ୟୁକ୍ରେନର ଆଲିଆ ନାସିରୋଭା (୨୫୭.୩୩ସେମି)ଙ୍କ ରେକର୍ଡକୁ ଭାଙ୍ଗି ରେଣୁ ଏହି ଗୌରବ ଅର୍ଜନ କରିଛନ୍ତି।
ରେଣୁ ଜଣେ କଣ୍ଟେଣ୍ଟ କ୍ରିଏଟର ଏବଂ ୟୁଟ୍ୟବର ଅଟନ୍ତି, ଯିଏ ଅନ୍ୟ ମହିଳାଙ୍କ ସହିତ ସୌନ୍ଦର୍ଯ୍ୟ ଟିପ୍ସ ସେୟାର କରନ୍ତି। ୨୦୧୫ରୁ ସେ କେବେବି ନିଜ କେଶ କାଟି ନାହଁାନ୍ତି ଏବଂ କ୍ରମାଗତ ଭାବରେ ଏହାକୁ ବଢ଼ାଇ ଆସୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ରେଣୁଙ୍କ କେଶ ଘନ ଓ ଚମକଦାର ଅଟେ, ଯାହାକୁ ସେ ବହୁତ ଯତ୍ନ କରନ୍ତି ବୋଲି କହିଛନ୍ତି।