ଅସୁନ୍ଦରୀଙ୍କ ସହ ଅସୁନ୍ଦର

ପାଠ୍ୟପୁସ୍ତକ ଜରିଆରେ ଛାତ୍ରୀଛାତ୍ରଙ୍କ ମନରେ ସକାରାତ୍ମକ ଚିନ୍ତା ସୃଷ୍ଟି କରିବା ଲାଗି ସର୍ବଦା ପ୍ରୟାସ ହେବା କଥା। କିନ୍ତୁ ଦେଖାଯାଉଛି ୨୦୧୪ରେ କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ସରକାର ଅନେକ କ୍ଷେତ୍ରରେ ଇତିହାସକୁ ବଦଳାଇବା ସହ ବିଦ୍ୟାର୍ଥୀଙ୍କୁ ‘ନୂଆ ଭାରତ’ରେ ଦୀକ୍ଷିତ କରିବାକୁ ଚାହୁଁଛନ୍ତି। ବହୁବର୍ଷ ଧରି ପ୍ରଚଳିତ ହୋଇଆସିଥିବା ବିଷୟବସ୍ତୁ ତା’ର ପ୍ରାସଙ୍ଗିକତା ହରାଇ ବସିଥିବା କହି ପାଠ୍ୟକ୍ରମରେ ପରିବର୍ତ୍ତନ ଆଣି ଶାସକ ବର୍ଗ ନିଜ ଆଦର୍ଶକୁ ସେଥିରେ ସନ୍ନିବେଶିତ କରୁଥିବା ଦେଖାଯାଉଛି। ସଦ୍ୟ ବିବାଦକୁ ଦେଖିଲେ ଭାରତୀୟ ନର୍ସିଂ କାଉନ୍‌ସିଲ (ଆଇଏନ୍‌ସି) ପାଠ୍ୟକ୍ରମରେ ସାମିଲ ହୋଇଥିବା ଟି. କେ. ଇନ୍ଦ୍ରାଣୀଙ୍କ ଲିଖିତ ସମାଜ ବିଜ୍ଞାନ ବହିରେ ଉଲ୍ଲେଖ କରାଯାଇଛି ଯେ, ଅସୁନ୍ଦରୀମାନେ ଯୌତୁକ ଯୋଗୁ ବାହା ହୋଇପାରୁଛନ୍ତି। ସେଥିରେ ଲେଖାଯାଇଛି ଯୌତୁକ ବାବଦରେ ଘରକୁ ନୂଆ ଆସବାବପତ୍ର, ଗାଡ଼ି ଆଦି ଅଣାଯାଇ ପାରୁଥିବାରୁ ଏହା ଦ୍ୱାରା ପୈତୃକ ସମ୍ପତ୍ତିରୁ ଝିଅ ନିଜ ଭାଗ ପାଇପାରୁଛନ୍ତି। ଏଥିସହିତ ଏହା ମଧ୍ୟ ଲେଖାଯାଇଛି, ଯୋଗ୍ୟ ପୁଅମାନେ ଏଭଳି ଏକ ସାମଗ୍ରୀ ପାଲଟିଯାଇଛନ୍ତି, ଯାହାଙ୍କ ଘୋର ଅଭାବ ଦେଖାଦେଇଛି। ଏହି ପୁସ୍ତକରେ ଆହୁରି ଉଲ୍ଲେଖ ଥିବା ବିଷୟ ହେଉଛି ଯେ, ବୋହୂଠାରୁ ମିଳୁଥିବା ଯୌତୁକ ସାହାଯ୍ୟରେ ଝିଅ ବିବାହ କରିବା ସହଜ ହୋଇପଡ଼ୁଛି। ଆଶ୍ଚର୍ଯ୍ୟର କଥା ଯେ, ଏହି ପୁସ୍ତକକୁ ଜଣେ ମହିଳା ଲେଖିଛନ୍ତି। ଉକ୍ତ ବହିର ବିବାଦୀୟ ପୃଷ୍ଠାର ଏକ ଫଟୋ ଶିବସେନା ନେତ୍ରୀ ତଥା ରାଜ୍ୟ ସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ ଟୁଇଟରରେ ଶେୟାର କରିବା ପରେ ଏହା ଭାଇରାଲ ହୋଇଛି।
ନାରୀ ସଶକ୍ତୀକରଣ ଓ ଶିକ୍ଷା ଦିଗରେ ବହୁବିଧ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଭାରତରେ ଯୌତୁକକୁ ଅପରାଧ ଭାବେ ଗଣାଯିବା ସହ ଆଇନ ବିରୋଧରେ ଯାଉଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି। ଭାରତୀୟ ବିବାହ ପରମ୍ପରାରେ ଝିଅମାନଙ୍କୁ ବାହା ଦେବା ବେଳେ ମାତାପିତା ଓ ସମ୍ପର୍କୀୟ କିଛି ଉପହାର ଦେଇଥାଆନ୍ତି। କିନ୍ତୁ ବରପକ୍ଷରୁ ହେଉଥିବା ଦାବି ମୁତାବକ ଅର୍ଥ ବା ସାମଗ୍ରୀ ଦିଆଯାଇଥିବା ପ୍ରମାଣିତ ହେଲେ ତାହା ଯୌତୁକ ପର୍ଯ୍ୟାୟଭୁକ୍ତ ହୋଇଥାଏ ଏବଂ ସ୍ଥଳବିଶେଷରେ ଏଥିପାଇଁ ନିର୍ଯାତନା ଦେଉଥିବା ବ୍ୟକ୍ତିମାନେ ଦଣ୍ଡିତ ହୋଇଥାଆନ୍ତି। ଭାରତର ବାସ୍ତବ ସ୍ଥିତିକୁ ଦେଖିଲେ ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନ୍‌ସିଆର୍‌ବି)ର ୨୦୨୧ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୦ରେ ୬,୯୬୬ ଜଣ ମହିଳାଙ୍କ ମୃତ୍ୟୁ ଯୌତୁକଜନିକ କାରଣରୁ ଘଟିଛି। ଆଜିର ଭାରତରେ ମଧ୍ୟ ଶିକ୍ଷିତ ପରିବାରରେ ଯୌତୁକକୁ କେହି ବିରୋଧ କରୁନାହାନ୍ତି। ଅନେକ ତଥାକଥିତ ‘ଆଧୁନିକ’ ପୁଅ ସାଧାରଣରେ କହୁଥାଇପାରନ୍ତି ଯେ ବିବାହ ବେଳେ କୌଣସି ଯୌତୁକ ନେଇ ନ ଥିଲେ। କିନ୍ତୁ ଅଳ୍ପ ସମୟ କଥା ହେଲେ ଜଣାପଡ଼େ ଯେ, ଯାହାସବୁ ଝିଅଘରୁ ଆସିଥିଲା ତାହା କୁଆଡ଼େ ଶାଶୁଶ୍ୱଶୁର ନିଜ ଆଡ଼ୁ ବାଧ୍ୟକରି ଦେଇଦେଇଥିଲେ। କିନ୍ତୁ ଅଯୋଗ୍ୟ ପୁଅଙ୍କର କୌଣସି ‘ଡିମାଣ୍ଡ’ ନ ଥିଲା ବୋଲି ମୁରୁକେଇ ମୁରୁକେଇ କହିଥାଆନ୍ତି। ଅନ୍ୟ ଏକ ଛବି ମଧ୍ୟ ରହିଛି, ଯେଉଁଥିରେ ଯୌତୁକର ଦାବି ହ୍ରାସ ପାଇଥାଏ। ଯଦି ବିବାହ କରିବାକୁ ଥିବା ଝିଅ ଚାକିରି କରି ପ୍ରତ୍ୟେକ ମାସ ଦରମା ଆକାରରେ ଯୌତୁକ ଆଣୁଥିବ ମା’ବାପାଙ୍କ ଉପରେ ଯୌତୁକ ଦେବାର ଚାପ କମିଯାଏ ଏବଂ ରୋଜଗାରିଆ ବୋହୂ ତାଙ୍କ ଶାଶୁଘରେ ଅଳ୍ପ କିଛିଟା ସମ୍ମାନ ପାଇବାର ଯୋଗ୍ୟତା ହାସଲ କରିଥାଆନ୍ତି। ଅପରପଟେ ବହିରେ ଯାହା କୁହାଯାଇଛି ଯେ ଅସୁନ୍ଦରୀ ଝିଅ ପାଇଁ ଅଧିକ ଯୌତୁକ ଦେବାକୁ ପଡ଼ିଥାଏ, ତାହା ଏକ ଅତ୍ୟନ୍ତ ଭ୍ରାନ୍ତ ଚିନ୍ତାଧାରା ହୋଇଥିଲେ ମଧ୍ୟ ଆମ ବିକୃତ ସମାଜରେ ତାହାକୁ ଅତି ସହଜରେ ଗ୍ରହଣ କରିନିଆଯାଉଛି। ଏହାର ଅର୍ଥ ହେଲା ଭାରତୀୟ ସମାଜରେ ଯୌତୁକର ଜଘନ୍ୟ ପ୍ରଥା ଅତ୍ୟନ୍ତ ସୁସ୍ଥ ଓ ସବଳ ରହିଛି। ଏଭଳି ପ୍ରଚ୍ଛଦପଟରେ ଟି. କେ. ଇନ୍ଦ୍ରାଣୀଙ୍କ ପୁସ୍ତକ କାହାରିକୁ ବ୍ୟସ୍ତ କରୁନାହିଁ। ଏହି କଥାକୁ ରାଜନୈତିକ ବ୍ୟକ୍ତି ସୋସିଆଲ ମିଡିଆ ମାଧ୍ୟମରେ ଲୋକଲୋଚନକୁ ଆଣିଲେ। କିନ୍ତୁ ବିଗତ ବର୍ଷଗୁଡ଼ିକରେ ଅନେକ ହଜାର ନର୍ସିଂ ଛାତ୍ରୀ ଏହି ପୁସ୍ତକକୁ ପଢ଼ି ପ୍ରତିକ୍ରିୟା ପ୍ରକାଶ କରିବାକୁ ଆବଶ୍ୟକ ମନେ କରି ନ ଥିଲେ।
କେବଳ ଏହି ପାଠ୍ୟପୁସ୍ତକରେ ରହିଥିବା ବିଷୟ ସାମାଜିକ ଅସଙ୍ଗତିକୁ ଦର୍ଶାଉ ନାହିଁ, ଏହା ପୂର୍ବରୁ ଏକାଧିକ ଘଟଣା ସାମ୍ନାକୁ ଆସିଛି। ଗତବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀର ଟର୍ମ-୧ର ଇଂଲିଶ ପରୀକ୍ଷାରେ ନାରୀ ସ୍ବାଧୀନତା ବିରୋଧୀ ବିଷୟ ପଚରାଯାଇଥିଲା। ଉକ୍ତ ଲେଖା ଜରିଆରେ ମହିଳାମାନଙ୍କୁ ଉପଦେଶ ଦିଆଯାଇଥିଲା ଯେ, ସ୍ବାମୀଙ୍କ ଚରଣ ସ୍ପର୍ଶ ହୋଇ ରହିପାରିଲେ ପିଲାଙ୍କୁ ଆୟତ୍ତ କରି ରଖିହେବ। ୧୫ ଡିସେମ୍ବର ୨୦୨୧ରେ ଏହି ସ୍ତମ୍ଭରେ ‘ନକାରାତ୍ମକ ସିବିଏସ୍‌ଇ’ ଶୀର୍ଷକରେ ଆମେ ଲେଖା ପ୍ରକାଶ କରିଥିଲୁ। ଏଥିରେ କହିଥିଲୁ ଯେ, ସିବିଏସ୍‌ଇ ଦ୍ୱାରା ଉଲ୍ଲେଖ କରାଯାଇଥିବା ବିଷୟରେ କେବଳ ମହିଳାମାନଙ୍କୁ ନୂ୍ୟନ କରାଯାଇଛି ତାହା ନୁହେଁ, ଭାରତର ପ୍ରତ୍ୟେକ ପରିବାରରେ ଥିବା ପିଲାଙ୍କୁ କିଭଳି ଲଗାମ ଲଗାଇ ରଖାଯିବ ତାହାର ବାଟ ଦେଖାଇ ଦିଆଯାଇଛି।
ପାଠ୍ୟକ୍ରମ ମାଧ୍ୟମରେ ଏହିଭଳି ନକାରାତ୍ମକ ଚିନ୍ତାଧାରା ଛାତ୍ରୀଛାତ୍ରଙ୍କ ମୁଣ୍ଡରେ ପୂରାଇବାର ଉଦ୍ୟମ ସାମାଜିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ମାରାତ୍ମକ। ଅଭିଭାବକଙ୍କ ତରଫରୁ ଏଭଳି ମାନସିକତାକୁ ତତ୍‌କ୍ଷଣାତ୍‌ ବିରୋଧ କରା ନ ଯିବା ସଙ୍କେତ ଦେଉଛି ଯେ, ଭାରତର ସମାଜ ଅତ୍ୟନ୍ତ ରିଗ୍ରେସିଭ୍‌ ବା ପଶ୍ଚାତ୍‌ପଦ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri