ଶିକ୍ଷା ବିଭାଗ-ଓପିଏସ୍‌ସିକୁ ୟୁଜିସିର ତାଗିଦ୍‌

ଭୁବନେଶ୍ୱର,୨୬।୫(ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ର ଉଲ୍ଲଂଘନକୁ ନେଇ ୟୁଜିସି ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସ୍‌ସିକୁ ତାଗିଦ୍‌ କରିଛି। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତିକୁ ନେଇ ୟୁଜିସି ପକ୍ଷରୁ ଶିକ୍ଷାବିଭାଗ ଓ ଓପିଏସ୍‌ସିକୁ ଚିଠି ଲେଖାଯାଇଛି।

ସୁପ୍ରିମକୋର୍ଟରେ ଏହି ସଂଶୋଧନ ଆଇନ ବିଚାରାଧୀନ ରହିଛି। ତେଣୁ ଓପିଏସ୍‌ସି ଦ୍ୱାରା ଶିକ୍ଷକ ନିଯୁକ୍ତି ଓ ଏସ୍‌ଏସ୍‌ବି ଦ୍ୱାରା ଅଣଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ସୁପ୍ରିମକୋର୍ଟର ନିର୍ଦ୍ଦେଶର ଉଲ୍ଲଘନ କରୁଛି। ରାଜ୍ୟ ସରକାର ଓ ଓଡ଼ିଶା ଲୋକସେବା ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରହିବାକୁ ଚିଠିରେ ଉଲ୍ଲେଖ ରହିଛି। ଏଥିରେ ଅବମାନନା କଲେ ଆବଶ୍ୟକ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ଚିଠିରେ ଉଲ୍ଲେଖ କରିଛି।

ପ୍ରକାଶ ଯେ, ମେ’ ୨୩ରେ ଓପିଏସ୍‌ସି ସମାଜ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିର ଫଳାଫଳ ଓ ମେ’ ୨୪ରେ ବାଣିଜ୍ୟର ଆସିଷ୍ଟାଣ୍ଟ ପ୍ରଫେସର ଡକୁମେଣ୍ଟ ଭେରିଫିକେସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।