ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ ଜରିଆରେ ଏହି ସୂଚନା ଦେଇଛି।
ଏନ୍‌ଟିଏ ଅନୁଯାୟୀ, ୟୁଜିସି-ଏନ୍‌ଇଟି (୮୪ଟି ବିଷୟ), ସିଏସ୍‌ଆଇଆର୍‌-ଏନ୍‌ଇଟି, ଆଇସିଏଆର୍‌ ଏଆଇଇଇଏ (ପିଜି) ଏବଂ ଏଆଇସିଇ (ପିଏଚ୍‌ଡି) ୨୦୨୬ର ଚୂଡ଼ାନ୍ତ ଆନ୍ସର କି ଏବଂ ଫଳାଫଳ ଚଳିତ ସପ୍ତାହରେ ଏନ୍‌ଟିଏର ଅଫିସିଆଲ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ କେବଳ ଏନ୍‌ଟିଏର ଅଫିସିଆଲ ସୂଚନା ଉପରେ ଭରସା କରିବାକୁ ପରାମର୍ଶ ଦିଆଯାଇଛି। ଚଳିତ ବର୍ଷ ଜୁନ୍‌ରେ ଅନୁଷ୍ଠିତ ଇଂଲିଶ, ବାଣିଜ୍ୟ ଏବଂ ସୋସିଓଲୋଜି ପ୍ରଶ୍ନପତ୍ରରେ ତଥ୍ୟଗତ, ମୁଦ୍ରଣ, ଅନୁବାଦ ଏବଂ ଭାଷାଗତ ତ୍ରୁଟି ଥିବା ଏକ ବିଶେଷଜ୍ଞ କମିଟି ଦର୍ଶାଇଥିଲେ। ଏହି ତିନୋଟି ବିଷୟ ପାଇଁ ଆସନ୍ତା ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ପୁନଃ ପରୀକ୍ଷା କରାଯିବ। ପରୀକ୍ଷାର୍ଥୀଙ୍କୁ ଏଥିପାଇଁ କୌଣସି ଅତିରିକ୍ତ ପରୀକ୍ଷା ଫି’ ଦେବାକୁ ପଡ଼ିବ ନାହିଁ। ସୂଚନାଯୋଗ୍ୟ, ଭାରତୀୟ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ସହକାରୀ ପ୍ରଫେସର ଏବଂ ଜୁନିୟର ରିସର୍ଚ୍ଚ ଫେଲୋଶିପ (ଜେଆର୍‌ଏଫ୍‌) ପାଇଁ ଯୋଗ୍ୟତା ନିରୂପଣ କରିବାକୁ ଏନ୍‌ଟିଏ ପକ୍ଷରୁ ଏହି ପରୀକ୍ଷା ଆୟୋଜନ କରାଯାଇଥାଏ।

Odisha’s No.1 Odia Daily

Share