କ୍ରିକେଟ୍‌ରେ କମାଲ୍‌ କଲା ଉଗାଣ୍ଡା: ୨୦୨୪ ବିଶ୍ୱକପ୍‌ରେ ହୋଇପାରେ ସାମିଲ୍‌

ନୂଆଦିଲ୍ଲୀ,୨୭।୧୧: ଉଗାଣ୍ଡା କ୍ରିକେଟ ଦଳ ଏକ ସ୍ମରଣୀୟ ବିଜୟ ହାସଲ କରିଛି। ଏହି ଦଳ ଟି-୨୦ କ୍ରିକେଟରେ ଜିମ୍ବାୱେକୁ ୫ ଉଇକେଟରେ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଉଗାଣ୍ଡା କ୍ରିକେଟରେ ଏକ ବଡ ଦଳକୁ ପରାସ୍ତ କରିଛି। ବିଶେଷ କଥା ହେଉଛି ପ୍ରଥମ ଥର ପାଇଁ ଉଗାଣ୍ଡା ଦଳ ପୂର୍ଣ୍ଣ ଆଇସିସି ସଦସ୍ୟ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲା।
ଆଇସିସିର ପୂର୍ଣ୍ଣ ସଦସ୍ୟ ମଧ୍ୟରେ କେବଳ ୧୨ଟି ଟିମ୍‌ ଅଛନ୍ତି। ଜିମ୍ବାୱେ ମଧ୍ୟ ଏଥିରେ ସାମିଲ ଅଛି। ତେଣୁ ଜିମ୍ବାୱେ ଉପରେ ଉଗାଣ୍ଡାର ବିଜୟର ଅନେକ ଅର୍ଥ ରହିଛି। ଏହି ବିଜୟ କେବଳ ଉଗାଣ୍ଡାରେ କ୍ରିକେଟ ବୃଦ୍ଧି କରିବ ନାହିଁ, ବରଂ ଯଦି ସବୁକିଛି ଠିକ ହୁଏ ତେବେ ଏହି ଦଳ ବିଶ୍ୱକପ ୨୦୨୪ରେ ମଧ୍ୟ ପ୍ରବେଶ କରିପାରିବ।
ଟି-୨୦ ବିଶ୍ୱକପ ୨୦୨୪ ପାଇଁ ‘ଆଫ୍ରିକୀୟ ରିଜନ୍‌ ଯୋଗ୍ୟତା’ ମ୍ୟାଚରେ ଉଗାଣ୍ଡା ଏହି ବିଜୟ ହାସଲ କରିଛି। ଏଥିରେ ୭ ଦଳ ଅଂଶଗ୍ରହଣ କରୁଛନ୍ତି। ଏଥିରୁ ଶୀର୍ଷ -୨ ଦଳ ଆଗାମୀ ବର୍ଷ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ର ୨୦ଟି ଦଳ ମଧ୍ୟରେ ପ୍ରବେଶ କରିବେ। ଉଗାଣ୍ଡା ଏବେ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନ ଅଧିକାର କରିଛି। ଯଦି ଉଗାଣ୍ଡା ଅବଶିଷ୍ଟ ଯୋଗ୍ୟତା ପର୍ଯ୍ୟାୟରେ ଏହି ପ୍ରଦର୍ଶନ ଜାରି ରଖେ, ତେବେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳିବା ପାଇଁ ଦ୍ୱାର ଖୋଲିବ।
‘ଆଫ୍ରିକୀୟ ରିଜନ୍‌ ଯୋଗ୍ୟତା’ ରେ ନାମ୍ବିଆ ୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ କେନିଆ ଏବଂ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ଉଗାଣ୍ଡା ରହିଛି। ଏଥି ସହିତ ଜିମ୍ବାୱେର ଆକାଉଣ୍ଟରେ ଏପର୍ଯ୍ୟନ୍ତ ମାତ୍ର ୨ ପଏଣ୍ଟ ରହିଛି।

Share