ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ  ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ ସେ ଅଭିନେତ୍ରୀ ତ୍ରିଷା ଉଦ୍ଦେଶ୍ୟରେ ଦ୍ୱିଅର୍ଥବୋଧକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲେ । କିନ୍ତୁ ପରେ ଥାନା ଜାମିନରେ ମୁକ୍ତ ହୋଇଥିଲେ ଜୁନିୟର ଷ୍ଟାଲିନ । ମୁକୁଳିବା ପରେ, ବିଜୟ ସରକାରଙ୍କ ଉପରେ ବର୍ଷିଛନ୍ତି ଉଦୟନିଧି । ସରକାର ତାଙ୍କ ସହ ‘ଜଣେ ଆତଙ୍କବାଦୀ ଭଳି’ ବ୍ୟବହାର କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ହାଜତରୁ ଖଲାସ ହେବା ପରେ ଏକ ପ୍ରେସ କନଫରେନ୍ସରେ ଷ୍ଟାଲିନ୍ ଅଭିଯୋଗ କରିଛନ୍ତି ଯେ, ମାଡ୍ରାସ ହାଇକୋର୍ଟରେ ତାମିଲନାଡୁ ସରକାର ଦେଇଥିବା ଯୁକ୍ତି ଏବଂ ପୁଲିସର କାର୍ଯ୍ୟାନୁଷ୍ଠାନ ମଧ୍ୟରେ କୌଣସି ମେଳ ନାହିଁ। କୋର୍ଟରେ ସରକାର ତାଙ୍କୁ ଗିରଫ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଥିଲେ।

ସେ କହିଛନ୍ତି, ‘ଅଦାଲତରେ ସରକାରୀ ଓକିଲ କହିଥିଲେ ଯେ, ମୋତେ ଗିରଫ କରିବାର କୌଣସି ଉଦ୍ଦେଶ୍ୟ ସରକାରଙ୍କର ନାହିଁ। ତଥାପି, ପଚରାଉଚରା ନାଁରେ ଜନସାଧାରଣଙ୍କ ଟିକସ ଟଙ୍କା ଖର୍ଚ୍ଚ କରି ପ୍ରାୟ ୩,୦୦୦ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଗଲା ଏବଂ ମୋତେ ଜଣେ ଆତଙ୍କବାଦୀ ଭଳି ରାସ୍ତାପଥରେ ଚେନ୍ନାଇରୁ ତାଞ୍ଜାବୁର ନିଆଗଲା।’