Categories: ଜାତୀୟ

ଫେସ୍‌ବୁକ୍‌ ଲାଇଭ୍‌ ପରେ ଇସ୍ତଫା ଦେଇଥାନ୍ତେ ଉଦ୍ଧବ: ହେଲେ ଅଟକାଇଦେଲେ..

ମୁମ୍ବାଇ,୨୭ା୬: ଶିବସେନାରେ ହୋଇଥିବା ବଡ଼ ବିଦ୍ରୋହ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ମହା ବିକାଶ ଅଘାଡ଼ିର ଚାଣକ୍ୟ ତଥା ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାର ତାଙ୍କୁ ଅଟକାଇଦେଇଛନ୍ତି ବୋଲି ଜଣାପଡ଼ିଛି। ପ୍ରକାଶିତ ରିପୋର୍ଟ ଅନୁସାରେ କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେ ଶିବସେନା ବିଧାୟକମାନଙ୍କୁ ଧରି ବିଦ୍ରୋହୀ ସାଜିବା ପରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଉଦ୍ଧବ ବିରକ୍ତି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସୋମବାର ଦୁଇଥର ଇସ୍ତଫା ଦେବାକୁ ଉଦ୍ୟମ କରିଥିଲେ। ଉଦ୍ଧବ ଅପରାହ୍ନ ୫ଟାରେ ସୋସିଆଲ ମିଡିଆ ଫେସ୍‌ବୁକ୍‌ରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ସମ୍ପର୍କରେ ଘୋଷଣା କରିଥାଆନ୍ତେ। ହେଲେ ଏନେଇ ଶରଦ ପାଓ୍ବାର ଜାଣିବା ପରେ ତାଙ୍କୁ ଇସ୍ତଫା ନ ଦେବାକୁ ବୁଝାଇଥିଲେ। ଗତ ବୁଧବାର ଉଦ୍ଧବ କହିଥିଲେ, ଯଦି ବିଦ୍ରୋହୀ ବିଧାୟକମାନେ ଚାହୁଁଛନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ। ଏପରି କି ଶିବସେନା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ମଧ୍ୟ ସେ ପ୍ରସ୍ତୁତ ଥିବା କହିଥିଲେ। କିନ୍ତୁ ଏଥିପାଇଁ ବିଦ୍ରୋହୀମାନଙ୍କୁ ତାଙ୍କ ସାମ୍ନାକୁ ଆସି ଏହି ବିଷୟ କହିବାକୁ ପଡ଼ିବ ବୋଲି ସେ ସର୍ତ୍ତ ବାଢ଼ିଥିଲେ।

Share