Categories: ଜାତୀୟ

ଉଦ୍ଧବ ଗୋଷ୍ଠୀଙ୍କ ବଡ଼ ବିଜୟ: ଶିବାଜୀ ପାର୍କରେ ଦଶହରା ରାଲିକୁ ମିଳିଲା ଅନୁମତି

ମୁମ୍ବାଇ,୨୩।୯: ମହାରାଷ୍ଟ୍ରରେ ଶିବାଜୀ ପାର୍କରେ ଦଶହରା ରାଲିକୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ବଡ଼ ବିଜୟ ମିଳିଛି। ହାଇକୋର୍ଟ ଠାକରେଙ୍କ ଗୋଷ୍ଠୀକୁ ଶିବାଜୀ ପାର୍କରେ ଦଶହରା ରାଲି କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି । ଏକନାଥ ଗୋଷ୍ଠୀଙ୍କ ପକ୍ଷରୁ ଦାଦର ବିଧାୟକ ସଦା ସର୍ଭାନକରଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ନିଜକୁ ମୂଳ ଶିବସେନା ବୋଲି କହି ବିଧାୟକ ସଦା ଶିବାଜୀ ପାର୍କରେ ଦଶହରା ରାଲି କରିବାକୁ କୋର୍ଟରେ ଆବେଦନ କରିଥିଲେ। ଏହାକୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଆବେଦନରେ ହସ୍ତକ୍ଷେପ କରିଥିଲେ। ଏହି ମାମଲାର ବିଚାର କରି ବମ୍ବେ ହାଇକୋର୍ଟ ଶୁକ୍ରବାର ଅକ୍ଟୋବର ୨ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଠାକରେଙ୍କୁ ରାଲି କରିବାକୁ ଅନୁମତି ଦେଇଛନ୍ତି। ଏହାପରେ ଶିବସେନା ଶିବାଜୀ ପାର୍କରେ ଅକ୍ଟୋବର ୫ରେ ଦଶହରା ରାଲି ଆୟୋଜନ କରିପାରିବ। ଏଥିସହ କୋର୍ଟ ମହାରାଷ୍ଟ୍ରରେ ଆଇନ ବ୍ୟବସ୍ଥା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ସିନ୍ଦେ ଦଳ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଶିବସେନା ବର୍ଷ ବର୍ଷ ଧରି ଏଠାରେ ଦଶହରା ରାଲିର ଆୟୋଜନ କରିଆସୁଛି। କିନ୍ତୁ ଗତ ଦୁଇ ବର୍ଷ ଧରି କରୋନା କାରଣରୁ ଏହି ରାଲିକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ପରିସ୍ଥିତି ସୁଧାର ଆସିବା ପରେ ଅକ୍ଟୋବରରେ ୫ରେ ଶିବାଜୀ ପାର୍କରେ ରାଲି କରିବାକୁ ଘୋଷଣା କରିଥିଲେ। ତେବେ ଶିବସେନା ଦୁଇ ଭାଗରେ ବିଭକ୍ତ ହେବା ପରେ ସିନ୍ଦେ ଦଳ ମଧ୍ୟ ଏଥର ଏକ ରାଲି ଆୟୋଜନ କରିବାକୁ ଚାହୁଁଥିଲେ। ଯେଉଁଥିରେ ଉଭୟ ପାର୍ଶ୍ୱ ମୁହାଁମୁହିଁ ହୋଇଥିଲେ।

Share