Categories: ଜାତୀୟ

‘ମୁଁ ସଞ୍ଜୟ ରାଉତଙ୍କ ପାଇଁ ଗର୍ବିତ’

ମୁମ୍ବାଇ,୧।୮: ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସଞ୍ଜୟଙ୍କ ଗିରଫ ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସୋମବାର ତାଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ସଞ୍ଜୟ ରାଉତଙ୍କୁ ଯେଉଁଭଳି ଭାବେ ଗିରଫ କରାଯାଇଛି ତାହା ଭୁଲ ଅଟେ। ତାଙ୍କ ଅପରାଧ କ’ଣ। ଦେଶରେ ପ୍ରତିଶୋଧର ରାଜନୀତି ଚାଲିଛି। ରାଜନୀତିରେ ବୁଦ୍ଧି ନୁହେଁ, ବଳ ପ୍ରୟୋଗ କରାଯାଉଛି। ଆମ ବିରୋଧୀଙ୍କୁ ଉତ୍ତର ଦେବାକୁ ପଡିବ। ଆମେ କଣ ତାଙ୍କୁ ଜବାବ ଦେବାକୁ ପଡିବ। ଦେଶରେ ଗଣତନ୍ତ୍ର ସହ ଖେଳାଯାଉଛି। କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ ଆମକୁ ହଇରାଣ କରାଯାଉଛି। ଯିଏ ବିରୋଧ କରୁଛି ତାଙ୍କୁ ଜେଲରେ ରଖାଯାଉଛି। ଯିଏ ନଇଁ ପଡେ, ସେ କେବେ ଶିବସୈନିକ ହୋଇପାରିବ ନାହିଁ। ମୁଁ ସଞ୍ଜୟ ରାଉତଙ୍କ ପାଇଁ ଗର୍ବିତ।
ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଏହା ତୁମର ପ୍ରତିଶୋଧର ଉପାୟ, ତେବେ ମୁଁ କହିବି ଯେ ଯୁଗ ସବୁବେଳେ ସମାନ ନୁହେଁ। ଖରାପ ଦିନ ଆସିବ। ଯଦି ଇଡି ଏବଂ ସିବିଆଇ ସବୁକିଛି, ତେବେ ଗଣତନ୍ତ୍ର କେଉଁଠାରେ ଅଛି?
ଏହାପୂର୍ବରୁ ଉଦ୍ଧବ ଠାକରେ ସଞ୍ଜୟ ରାଉତଙ୍କ ପରିବାରକୁ ଭେଟିଥିଲେ। ସେ ରାଉତଙ୍କ ମାଆଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଦେଇଥିଲେ। ସେ ରାଉତଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ମଧ୍ୟ ଭେଟିଥିଲେ।
ସୂଚନାଯୋଗ୍ୟ, ମୁମ୍ବାଇର ପାତ୍ରା ଚୌଲ ଉନ୍ନତୀକରଣ କାର୍ଯ୍ୟରେ ସଞ୍ଜୟଙ୍କ ସ୍ତ୍ରୀ ଏବଂ ସହଯୋଗୀଙ୍କ ସଂପୃକ୍ତି ନେଇ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ ମୁମ୍ବାଇର ବକୋଲା ଥାନାରେ ଜଣେ ମହିଳା ସଞ୍ଜୟଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଛନ୍ତି। ଗତକାଲି ସକାଳ ୭ଟାରେ ସିଆରପିଏଫ ଯବାନଙ୍କ ସହାୟତାରେ ଇଡି ସଞ୍ଜୟ ରାଉତଙ୍କ ଘର ମୈତ୍ରୀ ବଙ୍ଗଳାରେ ରେଡ ଆରମ୍ଭ କରିଥିଲା। ଦୀର୍ଘ ୯ ଘଣ୍ଟାର ଛାନଭିନ କରିବା ପରେ ସଞ୍ଜୟଙ୍କ ଘରୁ ଇଡି ୧୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା।

Share