Categories: ଜାତୀୟ

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପଛରେ ଭାଜପାର ହାତ: ଠାକରେ

ମୁମ୍ବାଇ,୨୫ ।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପରେ ଦଳକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶେଷ ପ୍ରୟାସ ଚଳାଇଛନ୍ତି । ଦଳର ଜିଲା ଓ ବିଭାଗ ମୁଖ୍ୟଙ୍କର ଶୁକ୍ରବାର ହୋଇଥିବା ବୈଠକରେ ଠାକରେ ସିନ୍ଦେ ଓ ତାଙ୍କ ସହ ଥିବା ଅସନ୍ତୁଷ୍ଟ ବିଧାୟକଙ୍କୁ ନଷ୍ଟ ହୋଇଯାଇଥିବା ଫୁଲ ଓ ଫଳ ବୋଲି କହିଛନ୍ତି । ସେ କହିଛନ୍ତି ଆପଣ ଫଳ ଫୁଲ ନେଇପାରନ୍ତି ହେଲେ ଯେପର୍ଯ୍ୟନ୍ତ ଚେର ମଜଭୁତ ରହିଛି ସେପର୍ଯ୍ୟନ୍ତ ମୋର ଚିନ୍ତା ନାହିଁ । ଠାକରେ ଅଭିଯୋଗ କରିଛନ୍ତି କି ଶିବସେନାରେ ଫାଟ ସୃଷ୍ଟି ହେବା ପଛରେ ଭାରତୀୟ ଜନତା ପାର୍ଟି(ଭାଜପା)ର ହାତ ରହିଛି । ବୈଠକରେ ଉଦ୍ଧବଙ୍କ ପୁଅ ଆଦିତ୍ୟ ମାନି ନେଇଛନ୍ତି କି ବିଧାୟକଙ୍କ ସଂଖ୍ୟା ତାଙ୍କ ସପକ୍ଷରେ ନାହିଁ ।
ଏପଟେ ଅସନ୍ତୁଷ୍ଟ ଏକନାଥ ସିନ୍ଦେଙ୍କ ଶକ୍ତି ବି ବୃଦ୍ଧି ହେଉଥବା ଦେଖଯାଇଛି । ଶୁକ୍ରବାର ମୁମ୍ବାଇର ଚାନ୍ଦିବଲିର ବିଧାୟକ ଦିଲିପ ଲାଣ୍ଡେ ଗୁଆହାଟି ପହଞ୍ଚି ତାଙ୍କ ସହ ସାମିଲ ହୋଇଛନ୍ତି । ଏହାକୁ ନେଇ ଶିବସେନାର ଅସନ୍ତୁଷ୍ଟ ବିଧାୟକଙ୍କ ସଂଖ୍ୟା ମ୍ୟାଜିକ ନମ୍ବର ୩୭ ପାର କରି ୩୮ରେ ପହଞ୍ଚିଛି । ଏପଟେ ସିନ୍ଦେ ଦାବି କରିଛନ୍ତି କି ଶିବସେନାର ୫୫ରୁ ୪୦ ବିଧାୟକ ତାଙ୍କ ସହ ଗୁଆହାଟିରେ ଅଛନ୍ତି ।
ଅନ୍ୟପଟେ ଉଦ୍ଧବ ସିନ୍ଦେଙ୍କୁ ଟାର୍ଗେଟ କରି କହିଛନ୍ତି, ସିନ୍ଦେଙ୍କୁ ସହରି ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଥିଲା, ଯାହା ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବା କଥା । ସେ କହିଛନ୍ତି ଆମ ପାଖରେ କେହି ନାହିଁ, ହେଲେ ଆମକୁ ପୁଣିଥରେ ନୂଆ ଶିବସେନା ଗଠନ କରିବାକୁ ପଡିବ । ଉଦ୍ଧବ କହିଛନ୍ତି ସିନ୍ଦେଙ୍କ ପୁଅ ଏମପି, ହେଲେ ମୋ ପୁଅକୁ ନେଇ ଟିପ୍ପଣି କରାଯାଉଛି । କ’ଣ ମୋ ପୁଅ ରାଜନୈତିକ କ୍ୟାରିୟରରେ ଆଗକୁ ବଢିବା କଥା ନୁହେଁ ବୋଲି ଠାକରେ ପ୍ରଶ୍ନ କରିଛନ୍ତି ।

Share