Categories: ଜାତୀୟ

ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ମୁମ୍ବାଇ,୨୭।୭: ମହାରାଷ୍ଟ୍ର ରାଜନୀତିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଭିନ୍ନ ଏକ ସଫଳତା ହାସ କରିଛନ୍ତି ବୋଲି କୁହାଯାଏ। ଉଦ୍ଧବଙ୍କ ପିତା ତଥା ଶିବସେନାର ସଂସ୍ଥାପକ ବାଲାସାହେବ ଠାକରେଙ୍କ ସ୍ବପ୍ନକୁ ପୂରଣ କରିବାକୁ ଯାଇ ଆଜି ଉଦ୍ଧବ କଂଗ୍ରେସ ଓ ଏନ୍‌ସିପି ସହ ହାତ ମିଳାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ବାଲ ଠାକରେ ମରାଠିମାନଙ୍କର ଗର୍ବ ଓ ଗୌରବ ଥିବା ବେଳେ ତାଙ୍କର ବିଚାରଧାରା ହିନ୍ଦୁତ୍ୱର ଏକ ପ୍ରତିକ ଥିଲା ବୋଲି କୁହାଯାଏ। କିନ୍ତୁ ଉଦ୍ଧବ ଠାକରେ ଶାସନ କ୍ଷମତା ହାତେଇବା ପରେ ଏବେ ଶିବସେନାର ସବୁ ଚିନ୍ତାଧାରା ଯେମିତି ବଦଳି ଯାଇଛି ବୋଲି କୁହାଯାଉଛି। ଏବେ ଶିବସେନା ଆଉ ହାର୍ଡ କୋର ହିନ୍ଦୁତ୍ୱ ନୁହେଁ ବରଂ ସର୍ବଧର୍ମକୁ ସମ୍ମାନ ଦେଉଥିବା ଲକ୍ଷ୍ୟ କରାଯାଉଛି। ଏହାସହ ଉତ୍ତର ଭାରତୀୟଙ୍କ ପ୍ରତି ଥିବା ଶିବସେନାର ଚିନ୍ତାଧାରାକୁ ବଦଳାଇ ଦେଇଥିବା ଲକ୍ଷ୍ୟ କରାଯାଉଛି। ଆଜିକୁ ୨୦ ବର୍ଷ ପୂର୍ବେ ଉଦ୍ଧବ ଠାକରେ ନିଜ ପିତାଙ୍କ ରାଜନୈତିକ ଦଳର ଭାର ଗ୍ରହଣ କରିଥିଲେ। ୨୭ ଜୁଲାଇ ୧୯୬୦ରେ ଜନ୍ମ ନେଇଥିବା ଉଦ୍ଧବ ଆଜି ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୦ ମସିହା ପରେ ପିତା ଅସୁସ୍ଥ ହେବାରୁ ଉଦ୍ଧବ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ଆଉ ଏବେ ସେ ମହାରାଷ୍ଟ୍ରର ଶାସନ କ୍ଷମତା ହାତକୁ ନେବାରେ ସଫଳ ହେବା ସହ ଠାକରେ ପରିବାରର ରାଜନୈତିକ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡି ଦେଇଛନ୍ତି। ଉଦ୍ଧବଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share