Categories: ଜାତୀୟ

ରାଜସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ: ଉଦୟପୁର ବନ୍ଦ ପାଇଁ ଭାଜପାର ଆହ୍ନାନ

ଉଦଦୟପୁର,୨୯।୬: ରାଜସ୍ଥାନର ଉଦୟପୁର ସହରରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ କହ୍ନେୟା ଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ସହରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ହତ୍ୟାର ପ୍ରତିବାଦରେ ବୁଧବାର ଶହ ଶହ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ସହରରେ ଶାନ୍ତି ବଜାୟ ରଖିବା ପାଇଁ ଉଦୟପୁରରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯିବା ସହ ସାରା ସହରରେ ଧାରା ୧୪୪ ଲାଗୁ କରାଯାଇଛି। ଏପରିକି ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ ରଖାଯାଇଛି। ଅନ୍ୟପଟେ ବୁଧବାର ଭାଜପା ପକ୍ଷରୁ ରାଜସ୍ଥାନ ବନ୍ଦ ପାଇଁ ଆହ୍ବାନ କରିଛି। ଅପରପକ୍ଷେ ଉଦୟପୁରର ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜସ୍ଥାନ ସରକାର ଏବେ ପ୍ରଶ୍ନଘେରରେ ଆସିଯାଇଛନ୍ତି। ତେଣୁ ଅଭିଯୁକ୍ତ ଗିରଫ ହେବା ପରେ ତୁରନ୍ତ ସରକାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ଯାଞ୍ଚ ପାଇଁ ଏସ୍‌ଆଇଟି ଗଠନ କରାଯାଇଛି। ୪ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଏହି ଏସଆଇଟିରେ ସାମିଲ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏନଆଇଏ ଟିମ୍‌କୁ ମଧ୍ୟ ରାଜସ୍ଥାନ ପଠାଯାଇଛି। କୁହାଯାଉଛି,ଏନଆଇଏର ଏହି ୪ଜଣିଆ ଟିମ୍‌ ଉକ୍ତ ଘଟଣା ସହ କୌଣସି ଇସଲାମିକ ସଂଗଠନ ସହିତ ଲିଙ୍କ ଅଛି କି ନାହିଁ ତାହା ଅନୁସନ୍ଧାନ କରିବ। ବିଶେଷକରି ପାକିସ୍ତାନ କୌଣସି ସଂଯୋଗ ଅଛି କି ନାହିଁ ସେନେଇ ଯାଞ୍ଚ କରିବ ଏନ୍‌ଆଇଏ। ସୂଚନାଯୋଗ୍ୟ, ଉଦୟପୁର ଧାନମଣ୍ଡିସ୍ଥିତ ଭୂତମହଲରେ ୪୦ବର୍ଷୀୟ ଟେଲର କହ୍ନେୟା ଲାଲ ତେଲି ଏକ ଦୋକାନ କରିଥିଲେ। କହ୍ନେୟାଙ୍କ ୮ ବର୍ଷର ପୁଅ ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଏହାକୁ ନେଇ ଗତ କିଛି ଦିନ ହେଲା କହ୍ନେୟାଙ୍କୁ ଧମକ ଦିଆଯାଉଥିଲା। ସେ ଏନେଇ ଥାନାରେ ମଧ୍ୟ ଏତାଲା ଦେଇଥିଲେ। ମଙ୍ଗଳବାର ଅପରାହ୍ନରେ କହ୍ନେୟା ନିଜ ଦୋକାନରେ ସିଲେଇ କରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ସେଠାକୁ ଯାଇ ଦିନ ଦ୍ୱିପ୍ରହରରେ ତାଙ୍କ ତଣ୍ଟି କାଟି ହତ୍ୟା କରିଥିଲେ। ଜଣେ ଧାରୁଆ ଅସ୍ତ୍ରରେ ତଣ୍ଟି କାଟୁଥିବା ବେଳେ ଆଉ ଜଣେ ଏହି ଦୃଶ୍ୟକୁ ମୋବାଇଲ୍‌ରେ କଏଦ୍‌ କରିଥିଲେ। ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି କହ୍ନେୟାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ବର୍ତ୍ତମାନ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share