Categories: ଜାତୀୟ

ରୋଜା ଭାଙ୍ଗି କରୋନା ରୋଗୀଙ୍କ ଜୀବନ ବଞ୍ଚାଇଲେ ଏହି ଯୁବକ

ଉଦୟପୁର,୧୮।୪: କୁହାଯାଏ, ମାନବିକତାଠାରୁ ବଡ଼ ଧର୍ମ ନାହିଁ। ଉଦୟପୁରର ଜଣେ ଯୁବକ ଏହା ପ୍ରମାଣ କରିଛନ୍ତି। ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦୁଇ ମହିଳା କରୋନା ରୋଗୀଙ୍କୁ ଏ-ପଜିଟିଭ ଗ୍ରୁପର ପ୍ଲାଜ୍‌ମା ଆବଶ୍ୟକ ଥିଲା। ପରିବାର ସଦସ୍ୟ ଏଥିପାଇଁ ରକ୍ତ ଦାନ କରୁଥିବା ସାମାଜିକ ସଂଗଠନ ସହ କଥା ହୋଇଥିଲେ। ତତ୍‌କ୍ଷଣାତ ସଂଗଠନ ୧୭ ଥର ରକ୍ତ ଦାନ କରିଥିବା ଅକିଲ ମାନସୁରୀଙ୍କ ସହ କଥା ହେଲା, ସେ ତୁରନ୍ତ ରାଜି ହୋଇଗଲେ। ରମଜାନ ମାସରେ ଅକିଲ ମାନସୁରୀ ଉପବାସ ଭାଙ୍ଗି କରୋନା ସଂକ୍ରମିତ ରୋଗୀଙ୍କ ଜୀବନ ରକ୍ଷା କରିବା ପାଇଁ ପ୍ଲାଜମା ଦାନ କରିଥିଲେ।
ଏନେଇ ଅକିଲ ମାନସୁରୀ କହିଛନ୍ତି ଯେ ମାନବିକତା ହେଉଛି ସବୁଠାରୁ ବଡ ଧର୍ମ। ଏହା ହେଉଛି ଆଲ୍ଲାଙ୍କର ଉପାସନା। ସେ କହିଛନ୍ତି ଯେ, ମହିଳା ରୋଗୀମାନେ ଅକ୍ସିଜାନ ଲାଗି ଚିକିତ୍ସିତ ହେଉଥିଲେ। ସେମାନଙ୍କର ପ୍ଲାଜମା ଆବଶ୍ୟକତା ବିଷୟରେ ଜାଣିବା ମାତ୍ରେ ଅକିଲ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରମାନେ ଅକିଲଙ୍କ ପରୀକ୍ଷା କରି କହିଥିଲେ ଯେ ସେ ଭୋକିଲା ପେଟରେ ପ୍ଲାଜମା ଦାନ କରାଯାଇପାରିବ ନାହିଁ। ଏହା ଉପରେ ମାନବିକତାର ଧର୍ମ ବଜାଇ ସେ ହସ୍ପିଟାଲରେ ନିଜର ରୋଜା ଭାଙ୍ଗି ପ୍ଲାଜମା ଦାନ କରିଥିଲେ। ଅକିଲ ମାନସୁରୀଙ୍କ ଉପବାସ ଭାଙ୍ଗିବା ଏବଂ ପ୍ଲାଜମା ଦାନ କରିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅକିଲଙ୍କ ଏହି କାର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି।
ଅକିଲ ମାନସୁରୀ କହିଛନ୍ତି ଯେ, ସେ ଉଦୟପୁରର ଅଭାବୀ ଲୋକମାନଙ୍କ ପାଇଁ ରକ୍ତ ବିତରଣ ସଂଗଠନ ‘ରକ୍ତ ଯୁବ ସଂଗଠନ’ ସହ ଜଡିତ। ଏହା ପୂର୍ବରୁ ସେ ୧୭ ଥର ରକ୍ତ ଦାନ କରିଛନ୍ତି।

Share