ଲୁଚାଛପାରେ ବିବାହ କଲେ ଲୋକପ୍ରିୟ ଗାୟକ ଜୁବିନ ନୌଟିୟାଲ! ଜାଣନ୍ତୁ କିଏ ହେଲେ ଜୀବନସାଥୀ… 

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଜଣାଶୁଣା ଗାୟକ ଜୁବିନ ନୌଟିୟାଲ ନିଜର ସୁମଧୁର ସ୍ବର ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। କିନ୍ତୁ ନିଜ ବ୍ୟକ୍ତିଗତ ଜୀବନକୁ ସେ ସବୁବେଳେ ଲାଇମଲାଇଟ୍‌ରୁ ଦୂରେଇ ରଖିବାକୁ ପସନ୍ଦ କରନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି ଯେ, ଜୁବିନ ଗୁପଚୁପ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ଇ-ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଜୁବିନ ନୌଟିୟାଲ ନିଜର ପିଲାଦିନର ବାନ୍ଧବୀଙ୍କ ସହ ବିବାହ କରିଛନ୍ତି। ନିଜ ହୋମ୍‌ଟାଉନ୍‌ରେ ଏକ ଅତି ବ୍ୟକ୍ତିଗତ ତଥା ଘରୋଇ ସମାରୋହରେ ସେ ପରିବାର ଓ ନିକଟତର ସମ୍ପର୍କୀୟଙ୍କ ଗହଣରେ ବିବାହ କରିଛନ୍ତି।
ବିବାହ ସମ୍ପୂର୍ଣ୍ଣ ପାରମ୍ପରିକ ଶୈଳୀରେ ଅନୁଷ୍ଠିତ ହୋଇଥିଲା। ଗ୍ଲାମର ଦୁନିଆର ଚମକଠାରୁ ଦୂରରେ ରହିବା ପାଇଁ ଜୁବିନ କେବଳ ଅତି ନିକଟତର ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଜୁବିନ ନିଜର ଏହି ଖାସ ଦିନକୁ କେବଳ ପରିବାର ସଦସ୍ୟଙ୍କ ସହ ଉପଭୋଗ କରିବାକୁ ଚାହୁଁଥିଲେ, ଯାହା ତାଙ୍କର ଏକ ସ୍ବପ୍ନ ଥିଲା।
ଏବେ ଜୁବିନ ନିଜ ଜୀବନସାଥୀଙ୍କୁ ଗଣମାଧ୍ୟମର ନଜରରୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ତେବେ ଗତ ଭାଲେଣ୍ଟାଇନ୍ସ ଡେ’ ଅବସରରେ ସେ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ନିଜ ବାନ୍ଧବୀଙ୍କର ଏକ ଝଲକ ଦେଖାଇଥିଲେ। ସେବେଠାରୁ ପ୍ରଶଂସକମାନେ ତାଙ୍କ ସମ୍ପର୍କକୁ ନେଇ କଳ୍ପନାଜଳ୍ପନା କରୁଥିଲେ।
ଜୁବିନଙ୍କ ବିବାହର କୌଣସି ଫଟୋ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ। ଆଶା କରାଯାଉଛି ଯେ, ସେ ଖୁବଶୀଘ୍ର ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଖୁସିର ଖବର ଦେବା ସହ ବିବାହର ଫଟୋ ଶେୟାର କରିବେ।
Dharitri – Odisha’s No.1 Odia Daily