୪୨ ବର୍ଷ ତଳେ ଏଲିଅନ୍‌କୁ ଗୁଳିମାଡ଼ କରିଥିଲା ଆମେରିକା !

ଓ୍ବାଶିଂଟନ, ୨୨।୯: ଏଲିଅନ୍‌ର ଉପସ୍ଥିତି ନେଇ ବହୁ କଥା ଶୁଣିବାକୁ ମିଳିଥାଏ। ଏହାକୁ ନେଇ ବହୁ ଫିଲ୍ମ ମଧ୍ୟ ହୋଇ ସାରିଛି। କେତେକ ଏହାକୁ କାଳ୍ପନିକ ବୋଲି ମନେ କରିଥାନ୍ତି। ତେବେ ପୃଥିବୀ ଭଳି ଜୀବନ୍ତ ଗ୍ରହର ଉପସ୍ଥିତିକୁ ମହାକାଶ ବିଜ୍ଞାନୀମାନେ ସର୍ବଦା ସତ୍ୟ ବୋଲି କହି ଆସିଛନ୍ତି। ଏବେ ଏଲିଅନ୍‌ ସମ୍ପର୍କିତ ଏକ ଖବର ନେଇ ବେଶ୍‌ ଚର୍ଚ୍ଚା ଜାରି ରହିଛି। ପ୍ରକାଶିତ ଏକ ଖବର ଅନୁସାରେ ଆମେରିକା ସୈନ୍ୟ ବାହିନୀ ଏଲିଅନ୍‌କୁ ଗୁଳିମାଡ଼ କରିଥିଲେ। ଏବେ ଏହି ଘଟଣାର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ୪୨ ବର୍ଷ ତଳେ ୧୯୭୮ରେ ଏଭଳି ହୋଇଥିବା କୁହାଯାଉଛି। ଆମେରିକା ମିଲିଟାରି ବେସ୍‌ ପାଖରେ ଏଲିଅନ୍‌ ବୁଲୁଥିବା ସମୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଆମେରିକାର ଜଣେ ପୂର୍ବତନ ବାୟୁସେନା ଅଧିକାରୀ ଏସମ୍ପର୍କରେ ଦାବି କରିଛନ୍ତି। ଗୁଳିମାଡ଼ରେ ଏଲିଅନ୍‌ର ମୃତ୍ୟୁ ଘଟିଥିଲା। ଏସମ୍ପର୍କରେ ପୁରସ୍କାର ପ୍ରାପ୍ତ ଏକ ଅନୁସନ୍ଧାନ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିବା ସେ କହିଛନ୍ତି। ପତ୍ରିକାର ଜଣେ ପ୍ରତିନିଧି ବାୟୁସେନା ଅଧିକାରୀଙ୍କ ସାକ୍ଷାତ୍‌କାର ନେଇଥିଲେ। ସାକ୍ଷାତ୍‌କାରରେ ବାୟୁସେନା ଅଧିକାରୀ ଏନେଇ ତଥ୍ୟ ପ୍ରଦାନ କରିଥିଲେ। ଏହି ବାୟୁସେନା ଅଧିକାରୀଙ୍କ ନାମ ମେଜର ଜର୍ଜ ଫେଲର। ସେ ଜନ୍‌ ଏଲ୍‌. ଗୁଏରାଙ୍କୁ ସାକ୍ଷାତ୍‌କାର ଦେଇଥିଲେ। ୧୯୭୮ ଜାନୁୟାରୀ ୧୮ରେ ଫେଲର ଏକ ଇଣ୍ଟେଲଜେନ୍ସ ବାର୍ତ୍ତା ପ୍ରସ୍ତୁତ କରୁଥିବା ସମୟରେ ଏହା ଘଟିଥିଲା। ଏନେଇ ତାଙ୍କୁ ଜଣେ ବରିଷ୍ଠ ମେଜର ସର୍ଜେଣ୍ଟ୍‌ ସୂଚନା ଦେଇଥିଲେ। ବାୟୁସେନା ରନ୍‌ ଓ୍ବେ ନିକଟରେ ଗ୍ରେ-ବ୍ରାଉନ୍‌ ରଙ୍ଗର ଏଲିଅନ୍‌କୁ ଗୁଳିମାଡ଼ ହୋଇଥିବା ସେ କହିଥିଲେ। ଗୁଳିମାଡ଼ ପରେ ଏଲିଅନ୍‌ ଆସିଥିବା ମହାକାଶ ଯାନ ପ୍ରବଳ ବେଗରେ ସେହି ଅଞ୍ଚଳରେ ଉଡ଼ି ବୁଲିଥିଲା। ଏହାପରେ ଏଲିଅନ୍‌ର ମୃତଦେହକୁ ଓହାୟୋସ୍ଥିତ ରାିଟ୍‌ ପିଟରସନ୍‌ ବାୟୁସେନା ବେସ୍‌କୁ ଅଣାଯାଇଥିଲା। ଫିଲର ଏହି ଘଟଣାକୁ ରେକର୍ଡ କରିବାକୁ ଚାହିଁଥିଲେ। ତେବେ ସରକାରଙ୍କ ପକ୍ଷରୁ ବାରଣ କରାଯାଇଥିଲା। ଏବେ ଫିଲରଙ୍କ ଏହି ସାକ୍ଷାତ୍‌କାର ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share