ୱାଶିଂଟନ, ୫ା୧୧ (ରଏଟର୍ସ/ଏପି): ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ୱାଚନର ଫଳାଫଳ ବୁଧବାର ପ୍ରାୟତଃ ଆସିଯାଇଥିବାବେଳେ ଦେଶର ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ବଦଳିଯାଇଛି। ଆମେରିକୀୟ ଭୋଟର ମଙ୍ଗଳବାର ଅନୁଷ୍ଠିତ ଏହି ନିର୍ୱାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍୍ଙ୍କ ନୀତି ବିରୋଧରେ ପ୍ରଚଣ୍ଡ ଜନାଦେଶ ଦେଇଛନ୍ତି। ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ଆମେରିକୀୟ କଂଗ୍ରେସ (ପାର୍ଲାମେଣ୍ଟ)ର ଉଭୟ ସଦନ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ’ (ତଳ ସଦନ) ଏବଂ ‘ସିନେଟ୍’ (ଉପର ସଦନ)ର ନିୟନ୍ତ୍ରଣ ହାସଲ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦ୍ୱିତୀୟ କାର୍ଯ୍ୟକାଳର ୨ ବର୍ଷ ପୂର୍ତ୍ତି ପୂର୍ୱରୁ ଆଗତ ଏହି ନିର୍ୱାଚନ ଫଳାଫଳ ଟ୍ରମ୍ପ୍ ପ୍ରଶାସନର କଠୋର ଆଭିମୁଖ୍ୟ, ଇରାନ୍ ସହ ସାମରିକ ଉତ୍ତେଜନା ଏବଂ ମହଙ୍ଗା ମୁଦ୍ରାସ୍ଫୀତି ବିରୋଧରେ ଆମେରିକୀୟ ଜନସାଧାରଣଙ୍କ ଗଭୀର ଅସନ୍ତୋଷକୁ ପ୍ରତିଫଳିତ କରିଛି। ଏହି ନିର୍ୱାଚନ କେବଳ ଆମେରିକାର ଆଭ୍ୟନ୍ତରୀଣ ରାଜନୀତିକୁ ବଦଳାଇ ନାହିଁ, ବରଂ ବିଶ୍ୱ ଭୂ-ରାଜନୀତି ଉପରେ ଗଭୀର ପ୍ରଭାବ ପକାଇବାକୁ ଯାଉଛି। ବିଶେଷକରି ଟ୍ରମ୍ପ୍ଙ୍କ ଏକଚାଟିଆ ନିଷ୍ପତ୍ତି ଉପରେ ଏହା ଲଗାମ ଲଗାଇବା ସହ ମଧ୍ୟପ୍ରାଚ୍ୟ ସଙ୍କଟ, ଭାରତ ସହିତ ଆମେରିକାର ଆଞ୍ଚଳିକ ଓ କୂଟନୈତିକ ସମ୍ପର୍କ, ଶୁଳ୍କ(ଟାରିଫ୍) ନୀତି ଏବଂ ବିଶ୍ୱ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି।
ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ଫଳାଫଳ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ରିପବ୍ଲିକାନ ପାର୍ଟିକୁ ଶୋଚନୀୟ ଝଟ୍କା ଦେଇଛି। ଆମେରିକୀୟ ଭୋଟରମାନେ ବିରୋଧୀ ଡେମୋକ୍ରାଟିକ୍ ପାର୍ଟିକୁ ସମର୍ଥନ କରି ଆମେରିକୀୟ କଂଗ୍ରେସର ନିୟନ୍ତ୍ରଣ ହସ୍ତାନ୍ତର କରିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ରିପବ୍ଲିକାନ ଗଭର୍ନରମାନଙ୍କୁ ପରାଜିତ କରିଛନ୍ତି। ନିର୍ୱାଚନ ଫଳାଫଳ ଗ୍ରହଣ କରି ଟ୍ରମ୍ପ୍ କହିଛନ୍ତି, ସେ ଏହି ଜନାଦେଶକୁ ସମ୍ମାନଜନକ ଭାବେ ଗ୍ରହଣ କରୁଛନ୍ତି, କିନ୍ତୁ ରିପବ୍ଲିକାନ ପାର୍ଟିର ଏହି ପରାଜୟ ପଛରେ ବାଲଟ ପେପରରେ ନିଜେ ତାଙ୍କର ନାମ ନ ଥିବା ମୁଖ୍ୟ କାରଣ ବୋଲି ସେ ଦର୍ଶାଇଛନ୍ତି।
ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ହସ୍ତଗତ ସବିଶେଷ ତଥ୍ୟ ଅନୁଯାୟୀ, ୪୩୫ ସିଟ୍ ବିଶିଷ୍ଟ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ବହୁମତ ପାଇଁ ୨୧୮ଟି ସିଟ୍ ଆବଶ୍ୟକ ଥିବାବେଳେ ଡେମୋକ୍ରାଟ୍ମାନେ କେଣ୍ଟୁକି, ନ୍ୟୁ ଜର୍ସି ଏବଂ ନର୍ଥ କାରୋଲିନା ଭଳି ରାଜ୍ୟଗୁଡ଼ିକରେ ୩୧ରୁ ଅଧିକ ରିପବ୍ଲିକାନ୍-ଦଖଲକୃତ ଆସନ ହାତେଇ ୨୪୦ରୁ ଅଧିକ ଆସନ ସହ ସଂଖ୍ୟାଗରିଷ୍ଠତା ଜିତିଛନ୍ତି। ଟ୍ରମ୍ପ୍ଙ୍କ ପାର୍ଟି ରିପବ୍ଲିକାନ୍ ମାତ୍ର ୧୩୯ ଆସନ ପାଇଛି। ସେହିପରି ୧୦୦ ସିଟ୍ ବିଶିଷ୍ଟ ସିନେଟ୍ରେ ଡେମୋକ୍ରାଟିକ୍ ପାର୍ଟି ରିପବ୍ଲିକାନ୍ଠାରୁ ଅତିରିକ୍ତ ୭ଟି ସିଟ୍ (ଯଥା: ରୟ କୁପର, ଆନି ଆଣ୍ଡ୍ରୁଜ, ଶେରୋଡ ବ୍ରାଉନ, ଆଡାମ ହାମିଲ୍ଟନ, ଅବଦୁଲ ଏଲ-ସାୟେଦ, ଟ୍ରୟ ଜାକ୍ସନ, ଜେମ୍ସ ତାଲାରିକୋ ଏବଂ ଜୋସ ଟୁରେକ) ଛଡ଼ାଇ ଆଣି ୫୪ଟି ସିଟ୍ର ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି (ଆଲାସ୍କା ଏବଂ ମିସିସିପିର ସିଟ୍ଗୁଡ଼ିକର ଗଣନା ଜାରି ରହିଛି)। ସିନେଟ୍ରେ ରିପବ୍ଲିକାନ୍ ମାତ୍ର ୪୪ ଆସନରେ ସୀମିତ ରହିଛି। ଆମେରିକାର ଗଭର୍ନର ନିର୍ୱାଚନକୁ ଦେଖିଲେ, ଟେକ୍ସାସ, ଜର୍ଜିଆ ଏବଂ ୱିସକୋନ୍ସିନ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟଗୁଡ଼ିକରେ ଡେମୋକ୍ରାଟିକ୍ ପ୍ରାର୍ଥୀମାନେ ଗଭର୍ନର ପଦବୀ ହାସଲ କରି ରିପବ୍ଲିକାନ ପାର୍ଟିକୁ ପରାଜିତ କରିଛନ୍ତି। ଶେଷ ହସ୍ତଗତ ତଥ୍ୟ ଅନୁଯାୟୀ ମୋଟ ୫୦ ଗର୍ଭନର ପଦବୀ ମଧ୍ୟରୁ ଡେମୋକ୍ରାଟିକ୍ ପାର୍ଟି ୨୮ ଏବଂ ରିପବ୍ଲିକାନ ପାର୍ଟି ୨୦ ପଦବୀ ହାସଲ କରିଛନ୍ତି।
ଆମେରିକା ସମ୍ୱିଧାନ ଅନୁଯାୟୀ, ରାଷ୍ଟ୍ରପତିଙ୍କ ୪ ବର୍ଷିଆ କାର୍ଯ୍ୟକାଳର ଠିକ୍ ମଝିରେ (୨ ବର୍ଷ ପରେ) ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ଅନୁଷ୍ଠିତ
ଡେମୋକ୍ରାଟ୍ଙ୍କ ବିଜୟ, …
ହୋଇଥାଏ। ଏହି ନିର୍ୱାଚନରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ସମସ୍ତ ୪୩୫ଟି ଆସନ, ସିନେଟ୍ର ପ୍ରାୟ ଏକ-ତୃତୀୟାଂଶ (୩୪ଟି) ଆସନ ଏବଂ ବିଭିନ୍ନ ରାଜ୍ୟର ଗଭର୍ନର ପଦବୀ ପାଇଁ ଭୋଟ ଗ୍ରହଣ କରାଯାଏ। ଏହା ପ୍ରକୃତରେ ସାମ୍ପ୍ରତିକ ରାଷ୍ଟ୍ରପତିଙ୍କ ନୀତି, ଶାସନ ଏବଂ ଅର୍ଥନୀତି ଉପରେ ଜନସାଧାରଣଙ୍କ ଏକ ମୁଖ୍ୟ ପ୍ରତ୍ୟକ୍ଷ ଜନାଦେଶ ଭାବେ କାର୍ଯ୍ୟ କରେ। ବର୍ତ୍ତମାନ କଂଗ୍ରେସର ଉଭୟ ସଦନ ହାତଛଡ଼ା ହେବା ପରେ ଟ୍ରମ୍ପ୍ଙ୍କ ପାଇଁ ଆଗାମୀ ୨ ବର୍ଷ କୌଣସି ନୂଆ ଆଇନ କିମ୍ୱା ବଜେଟ ପାରିତ କରିବା କଷ୍ଟକର ହେବ। ଡେମୋକ୍ରାଟ୍ମାନେ ଟ୍ରମ୍ପ୍ ପ୍ରଶାସନର ବିଭିନ୍ନ ନିଷ୍ପତ୍ତି ଓ ବ୍ୟବସାୟିକ କାରବାର ଉପରେ କଠୋର ସଂସଦୀୟ ତଦନ୍ତ ଆରମ୍ଭ କରିବା ପାଇଁ ବାଟ ଖୋଲିଯାଇଛି।
ନିର୍ୱାଚନ ଫଳାଫଳର ପ୍ରମୁଖ ପ୍ରଭାବଗୁଡ଼ିକୁ ଦେଖିଲେ, ଟ୍ରମ୍ପ୍ ପ୍ରଶାସନ ଦ୍ୱାରା ଇରାନ୍ ବିରୋଧରେ ଆରମ୍ଭ କରାଯାଇଥିବା ସାମରିକ ଯୁଦ୍ଧ ଓ କଠୋର ଆଭିମୁଖ୍ୟ କାରଣରୁ ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଅତ୍ୟଧିକ ବୃଦ୍ଧି ପାଇଥିଲା, ଯାହା ଆମେରିକୀୟ ନାଗରିକଙ୍କ ଦୈନନ୍ଦିନ ଜୀବନଧାରଣ ଖର୍ଚ୍ଚକୁ ଅତିଷ୍ଠ କରିଥିଲା। ଏବେ ସଂସଦର ଉଭୟ ସଦନ ଡେମୋକ୍ରାଟ୍ମାନଙ୍କ ନିୟନ୍ତ୍ରଣକୁ ଆସିବା ପରେ ଟ୍ରମ୍ପ୍ଙ୍କ ଏକପାଖିଆ ଯୁଦ୍ଧନୀତି ଏବଂ ସାମରିକ ବଜେଟ ଉପରେ ଆମେରିକୀୟ କଂଗ୍ରେସ କଠୋର ରୋକ ଲଗାଇବ। ଇରାନ ସହ କୂଟନୈତିକ ଆଲୋଚନା ଓ ଯୁଦ୍ଧବିରତି ପାଇଁ ଟ୍ରମ୍ପ୍ ପ୍ରଶାସନ ଉପରେ ଚାପ ସୃଷ୍ଟି ହେବ, ଯାହା ଅନ୍ତର୍ଜାତୀୟ ତୈଳ ବଜାରକୁ ସ୍ଥିର କରିବାରେ ସାହାଯ୍ୟ କରିବ।
ଆମେରିକାର ଏହି ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ଭାରତ ଉପରେ ମଧ୍ୟ ପ୍ରଭାବ ପକାଇବ। ଟ୍ରମ୍ପ୍ ବାରମ୍ୱାର ଭାରତୀୟ ସାମଗ୍ରୀ ଉପରେ କଠୋର ଆମଦାନୀ ଶୁଳ୍କ ଲଗାଉଥିଲେ। କଂଗ୍ରେସରେ ଡେମୋକ୍ରାଟ୍ମାନଙ୍କ ସଂଖ୍ୟାଗରିଷ୍ଠତା ଫଳରେ ଟ୍ରମ୍ପ୍ଙ୍କ ଏକଚାଟିଆ ଟାରିଫ ନୀତି ନିୟନ୍ତ୍ରିତ ହେବ, ଯାହା ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଆଶ୍ୱାସନା ଆଣିବ ବୋଲି ଅନେକେ ବିବେଚନା କରୁଛନ୍ତି। ସେହିପରି କଠୋର ସୀମା ଶୁଳ୍କ ଓ କଟକଣା ମୁକାବିଲାରେ ଡେମୋକ୍ରାଟ୍ମାନେ ଭାରତୀୟ ଆଇଟି ପେସାଦାର ଓ ଛାତ୍ରୀଛାତ୍ରଙ୍କ ପାଇଁ ଅଧିକ ସନ୍ତୁଳିତ ଭିସା ନୀତିକୁ ସମର୍ଥନ କରିବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଇରାନ୍ ସହ ଉତ୍ତେଜନା ହ୍ରାସ ପାଇଲେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବ, ଯାହା ଭାରତର ଆମଦାନୀ ବିଲ୍ ଏବଂ ଘରୋଇ ଜିନିଷପତ୍ରର ଦର ନିୟନ୍ତ୍ରଣରେ ସାହାଯ୍ୟ କରିବ ବୋଲି ଆକଳନ କରାଯାଉଛି।