ତାଇଫୁନ ମୁଇଫା: ଅସ୍ଥାୟୀ ଆଶ୍ରୟସ୍ଥଳରେ ୧୦ ଲକ୍ଷରୁ ଅଧିକ ଲୋକ…

ବେଜିଂ, ୧୫।୯ : ଚାଇନାରେ ତାଇଫୁନ୍‌ ମୁଇଫା ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗୁରୁବାର ଚାଇନାର ପୂର୍ବ ଉପକୂଳ ଆଡକୁ ଏହା ଭୟଙ୍କର ରୂପ ନେଇ ଗତି କରୁଛି। ଏହାପୂର୍ବରୁ ବୁଧବାର ରାତିରେ ଏହି ଝଡ ଯୋଗୁଁ ପ୍ରବଳ ପବନ ଓ ବର୍ଷା ସାଂଘାଇ ସହର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଚାଇନାର ଜାତୀୟ ପାଣିପାଗ କେନ୍ଦ୍ର ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ମୁଇଫା ସର୍ବାଧିକ ୧୨୫ କିଲୋମିଟର ବେଗରେ ଉପକୂଳରେ ମାଡ ହୋଇଥିଲା। କିନ୍ତୁ ଗୁରୁବାର ସକାଳେ ଏହା ଦୁର୍ବଳ ହୋଇଯାଇଛି।

ମୁଇଫାକୁ ଦୃଷ୍ଟିରେ ରଖି ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳରେ ରଖାଯାଇଛି। ଗୁରୁବାର ଜିଆଙ୍ଗସୁ ପ୍ରଦେଶର ପୂର୍ବ ଭାଗ ଆଡକୁ ମୁଇଫା ଗତି କରୁଥିବାବେଳେ ଏହା ଆହୁରି ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଦକ୍ଷିଣ ସାଂଘାଇର ନିଙ୍ଗବୋ ସହରରେ ଜଳସ୍ତରର ଚିତ୍ର ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ଏହି ଚିତ୍ରଗୁଡ଼ିକରେ ଗତକାଲି ରାତିରେ ପ୍ରବଳ ବର୍ଷା ପରେ ଅନେକ ସ୍କୁଟର ଏବଂ କାର ପାଣିରେ ବୁଡି ରହିଥିବାର ଦେଖାଯାଉଛି।

ଜିଆଙ୍ଗସୁରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି ଏବଂ ଗୁରୁବାର ପ୍ରଦେଶର ସମସ୍ତ ଜିଲାରେ ସ୍କୁଲ ବନ୍ଦ ରହିଛି। ଜାତୀୟ ପାଣିପାଗ କେନ୍ଦ୍ର କହିଛି ଯେ ଗୁରୁବାର ସକାଳେ ଘଣ୍ଟା ପ୍ରତି ସର୍ବାଧିକ ୧୦୮ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି, ଯାହା ଧୀରେ ଧୀରେ ଦୁର୍ବଳ ହୋଇଯିବ।

ମୁଇଫା ଯୋଗୁଁ କେହି ମୃତାହତ କିମ୍ବା ବଡ଼ କ୍ଷୟକ୍ଷତି ହୋଇନାହିଁ। ବାତ୍ୟା ଯୋଗୁଁ ମେଟ୍ରୋ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ଦୁର୍ବଳ ହେବା ପରେ ଗୁରୁବାର ସାଧାରଣ ପରିବହନ ସେବା ପୁଣି ଆରମ୍ଭ ହୋଇଛି।

 

Share