ସାମୁଦ୍ରିକ ଝଡ଼ ‘ଗୋନି’ର ତାଣ୍ଡବ: ମାନିଲା ବିମାନ ବନ୍ଦର ୨୪ ଘଣ୍ଟା ପାଇଁ ବନ୍ଦ

ମାନିଲା,୧।୧୧: ଫିଲିପାଇନ୍ସ୍‌ର ପୂର୍ବ ଅଞ୍ଚଳରେ ସାମୁଦ୍ରିକ ଝଡ଼ ‘ଗୋନି’ର ତାଣ୍ଡବ ଆରମ୍ଭ ହୋଇଛି। ରବିବାର ଭୋର୍‌ ସମୟରେ ଏହା କାଟାଣ୍ଡୁଆନାସ୍‌ ଦ୍ୱୀପରେ ମାଡ଼ ହୋଇଛି। ସ୍ଥଳଭାଗରେ ମାଡ଼ ସମୟରେ ଏହାର ଘଣ୍ଟାପ୍ରତି ବେଗ ୨୨୫ କିଲୋମିଟର ଥିବା କୁହାଯାଉଛି। ଏବେ ଏହାର ପ୍ରଭାବରେ ପ୍ରଭାବିତ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୨୮୦ କିଲୋମିଟରକୁ ବୃଦ୍ଧି ପାଇଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପକୂଳ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ‘ଗୋନି’ ତାଣ୍ଡବ ୨୦୧୩ରେ ହୋଇଥିବା ସାମୁଦ୍ରିକ ଝଡ଼ ‘ହେୟାନା’କୁ ମନେ ପକାଇ ଦେଇଛି। ଉଦ୍ଧାରକାରୀ ଦଳଗୁଡ଼ିକ ପକ୍ଷରୁ ଝଡ଼ ପରବର୍ତ୍ତୀ ସଙ୍କଟର ମୁକାବିଲା ଲାଗି ସଜାଗ ରହିଛନ୍ତି। ରାସ୍ତାରେ ଭାଙ୍ଗି ପଡ଼ିଥିବା ଗଛ ହଟାଇବା ସହିତ ପ୍ରଭାବିତ ଲୋକଙ୍କ ପାଖରେ ଶୀଘ୍ର ରିଲିଫ୍‌ ସାମଗ୍ରୀ ପହଞ୍ଚାଇବା ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମାନିଲା ବିମାନ ବନ୍ଦରକୁ ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି। ଏହି ସମୟରେ କୌଣସି ବିମାନ ଉଡ଼ାଣ କରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି।

Share