Categories: ମେଟ୍ରୋ

ଶୁଭଲକ୍ଷ୍ମୀଙ୍କ ସହ ହୋଟେଲ ରୁମ୍‌ ଯାଇଥିଲେ ଦୁଇ ଯୁବକ

ଭୁବନେଶ୍ୱର,୧୩।୮(ସତ୍ୟଜିତ୍‌ ରାଉତ)ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ସ୍ଥିତ ଦୀପାଳି ହୋଟେଲ ଆଣ୍ଡ୍‌ ବାର୍‌ର ଏକ ରୁମ୍‌ରେ ଭଦ୍ରକର ଶୁଭଲକ୍ଷ୍ମୀ ସାହୁ(୧୮) ଆତ୍ମହତ୍ୟା କରିଥିବା ଡିସିପି ସ୍ପଷ୍ଟ କରିଥିଲେ। କିନ୍ତୁ ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ଏହା ପଛରେ ଥିବା କାରଣକୁ ପୋଲିସ ଖୋଜିପାଉନି। ଫଳରେ ଘଟଣା ଦିନକୁ ଦିନ ରହସ୍ୟ ଘେରକୁ ଚାଲିଯାଉଛି। ଇତିମଧ୍ୟରେ ଶୁଭଲକ୍ଷ୍ମୀଙ୍କ ଶେଷ ଭିଡିଓ ମିଳିଛି। ଗତ ୨ ତାରିଖ ଅପରାହ୍ନ ୪ଟା ୧୩ରେ ହୋଟେଲ ଦୀପାଳିର ଶିଡି ଦେଇ ଉକ୍ତ ରୁମ୍‌କୁ ପ୍ରବେଶ କରୁଛନ୍ତି ଶୁଭଲକ୍ଷ୍ମୀ। ତାଙ୍କ ସହ ୨ଜଣ ଯୁବକ ମଧ୍ୟ ଯାଉଛନ୍ତି। ଜଣେ ଯୁବକ ଟ୍ରଲି ବ୍ୟାଗ ନେଉଥିବାବେଳେ ତାଙ୍କ ପଛରେ ଥିବା ଅନ୍ୟଜଣେ ଯୁବକ ଦୁଇଟି ହାତରେ ବ୍ୟାଗ ଧରିଛନ୍ତି। ଆଉ ଉଭୟ ଯୁବକଙ୍କ ପଛରେ ଶୁଭଲକ୍ଷ୍ମୀ ଯାଉଥିବା ସିସିଟିଭ ଫୁଟେଜରୁ ଜଣାପଡିଛି। ତେବେ କାହିଁକି ଏତେ ଲଗେଜ ନେଇ ଶୁଭଲକ୍ଷ୍ମୀ ହୋଟେଲକୁ ଯାଇଥିଲେ। ସେମାନଙ୍କ ସହ ଥିବା ଯୁବକଦ୍ୱୟଙ୍କ ସହ ତାଙ୍କର ସମ୍ପର୍କ କ’ଣ? ସେ ଫେରିଲେ ନା ରହିଲେ, ତାହାର ଦୃଶ୍ୟ ଭିଡିଓରେ ନ ଥିବାବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି। ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁପରେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ପୋଲିସ ଜବତ କରିଛି। ଏପରିସ୍ଥଳେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ପ୍ରାଇଭେଟ୍‌ କରାଯାଇଥିବା ଜଣାପଡିଛି। ତେବେ କିଏ ଶୁଭଲକ୍ଷ୍ମୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଚଳାଉଛି ତାହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ। ଏନେଇ ସାଇବର ପୋଲିସର ସହାୟତା ଲୋଡ଼ାଯାଇଥିବା ସୂଚନା ମିଳିଛି।
ରାଜ୍ୟ ମହିଳା କମିଶନ (ଓଏସ୍‌ସିଡବ୍ଲ୍ୟୁ) ଘଟଣାକୁ ଗୁରୁତ୍ୱର ସହ ନେଇ ନିଜ ଆଡୁ ମାମଲା ରୁଜୁ କରି ଭୁବନେଶ୍ୱର ଡିସିପିଙ୍କୁ ୨ଦିନ ତଳେ ରିପୋର୍ଟ ତଲବ କରିଥିଲେ। ଶନିବାର ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ମନ୍ଦାକିନୀ କର ଘଟଣାରେ ଉଦ୍‌ବେଗ ପ୍ରକାଶ କରି ନିଜଆଡୁ ଏକ ମାମଲା ରୁଜୁ କରିବା ସହ ୧୫ ଦିନ ମଧ୍ୟରେ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଝିଅର ପ୍ରକୃତ ବୟସ, ପୋଷ୍ଟମର୍ଟମ ରିପୋର୍ଟ, ଯଦି ବାରରେ ନିୟୋଜିତ ହୋଇଥିଲେ ତା’ହେଲେ କେଉଁ ପରିସ୍ଥିତିରେ କାମ କରୁଥିଲେ ଆଦିର ରିପୋର୍ଟ ମାଗିଛନ୍ତି। ଏହାସହ ନାବାଳିକାଙ୍କୁ ବାର୍‌ରେ ନିୟୋଜିତ କରୁଥିବା ଦଲାଲକୁ ଗିରଫ କରିବାକୁ ସେ କହିଛନ୍ତି। ସେହିପରି ରାଜ୍ୟର ଅନ୍ୟାନ୍ୟ ଜିଲାରେ ହୋଟେଲ, ସପିଂ ମଲ୍‌ରେ ଯଦି କୌଣସି ପିଲା ଶିଶୁ ଶ୍ରମିକ ଭାବେ କାମ କରୁଥିବା ନଜରକୁ ଆସେ ତା’ହାଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏନେଇ ସମସ୍ତ ଜିଲାପାଳ ଓ ଶ୍ରମ ଅଧିକାରୀଙ୍କୁ ପୁଣି ଥରେ ଚିଠି ଲେଖି ଅବଗତ କରାଯିବ ବୋଲି କହିଛନ୍ତି।