ନୟାଗଡ଼,୧୧ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଭାପୁର ପଞ୍ଚାୟତରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ରାତିରେ ଜଣେ ବିଧବା ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି । ହେଲେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ସ୍ବର୍ଗତ ମିଟୁ ବେହେରାଙ୍କ ଧର୍ମପତ୍ନୀ ଜୟନ୍ତୀଙ୍କୁ (୩୦) ରବିବାର ରାତି ସାଢ଼େ ଦଶଟା ରାତିରେ ଦୁଇଜଣ ଯୁବକ ଗଳାକାଟି ହତ୍ୟା କରିଥିବା ସୂଚନା ମିଳିଛି। କରବର ଗ୍ରାମର ମହେଶ୍ବର ବେହେରାଙ୍କ ଥାନାରେ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ଜୟନ୍ତୀ ଭାପୁର ସରସତୀ ଶିଶୁ ମନ୍ଦିର ନିକଟସ୍ଥ ଘରେ ତାଙ୍କର ଝିଅ ଓ ପୁଅ ସହିତ ରହୁଥିଲେ। ରାତି ସାଢ଼େ ୧୧ଟା ବେଳେ ଖବର ପାଇଲେ ଯେ, ତାଙ୍କ ଝିଅକୁ ହତ୍ୟା କରାଯାଇଛି। ସେ ଆସି ନାତି ଓ ନାତୁଣୀଙ୍କ ଠାରୁ ଜାଣିବାକୁ ପାଇଥିଲେ ତାଙ୍କର ମୃତ ଜ୍ୱାଇଁ ମିଟୁଙ୍କ ବୈଦ୍ୟଶ୍ୱର ଥାନା ଅଞ୍ଚଳର ମାଉସୀ ପୁଅ ମନୋଜ କୁମାର ସାହୁ ଓ ତାଙ୍କର ସାଙ୍ଗ ରାଜା ଗଳାକାଟି ହତ୍ୟା କରି ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ଫତେଗଡ଼ ଥାନାଧିକାରୀ ପଞ୍ଚାନନ ପରିଡ଼ା ସମେତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଥିବାବେଳେ ହତ୍ୟା କରିଥିବା ଦୁଇ ଯୁବକଙ୍କୁ ଅଟକ ରହିଥିବା ସୂଚନା।


