ପ୍ରେମ ବିବାହକୁ ବିରୋଧ କରିବାରୁ ବଡ଼ଭାଇଙ୍କୁ ପିଟି ପିଟି ହତ୍ୟା କଲେ ୨ ସାନ ଭାଇ

ଟେନ୍‌ସା,୧୧ା୭: ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅଧୀନ ବନ୍ଦଲ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇଙ୍କୁ ବାଡ଼ିରେ ପିଟି ୨ ସାନ ଭାଇ ହତ୍ୟା କରିଛନ୍ତି। କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁଇ ସାନ ଭାଇ ସମା ମୁଣ୍ଡା(୩୦), ବିରିକାର ମୁଣ୍ଡା (୨୫)ଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ସମା ମୁଣ୍ଡାଙ୍କ ସ୍ତ୍ରୀ ଫେରାର୍‌ ହୋଇଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ବନ୍ଦଲ ଗ୍ରାମରେ ପତ୍ରାସ ମୁଣ୍ଡା (୩୫) ଓ ତାଙ୍କର ତିନି ସାନ ଭାଇ ସମା, ବିରିକାର, ରବେଟେ ମିଳିମିଶି ଚଳୁଥିଲେ। ବଡ଼ଭାଇ ପତ୍ରାସ ବିବାହ କରି ନ ଥିବା ବେଳେ ସମା କାହାକୁ କିଛି ନ କହି ଅନ୍ୟ ଏକ ଜାତିର ଝିଅକୁ ପ୍ରେମ ବିବାହ କରି ଘରକୁ ନେଇ ଆସିଥିଲେ। ବଡ଼ ଭାଇ ଏହାକୁ ବିରୋଧ କରିବାରୁ ଘରେ ଝଗଡ଼ା, ଅଶାନ୍ତି ସୃଷ୍ଟି ହୋଇଥିଲା। ଗତ ୪ମାସ ଧରି ଏହି ଘଟଣାକୁ ନେଇ ଘରେ ପାଟିତୁଣ୍ଡ ଲାଗି ରହିଥିଲା।

ଶନିବାର ରାତିରେ ରବେଟେ ଘରେ ନ ଥିବାବେଳେ ସମା ତାଙ୍କ ସ୍ତ୍ରୀ ଯାତ୍ରୀ(୨୫) ଏବଂ ବିରିକାର ୩ ଜଣ ମିଶି ପତ୍ରାସଙ୍କୁ ବାଡ଼ିରେ ପିଟିଥିଲେ। ଘରେ ଥିବା ଜଣେ ନାବାଳିକା ସାନ ଭଉଣୀ ଏହାକୁ ବିରୋଧ କରିବାରୁ ତାଙ୍କୁ ଧମକ ଦେଇଥିଲେ। ୩ଜଣ ପତ୍ରାସଙ୍କୁ ପିଟି ହତ୍ୟା କରିବା ପରେ ଫେରାର୍‌ ହୋଇଯାଇଥିଲେ। ସାନଭାଇ ରବେଟେ ରବିବାର ଘରକୁ ଆସି ବଡ଼ ଭାଇଙ୍କ ମୃତ ଦେହ ଦେଖି କୋଇଡା ପୋଲିସକୁ ଖବର ଦେଇଥିଲେ। ଥାନା ଆଇଆଇସି ଲୋକେଶ୍ବର ସାହୁ, ଏସ୍‌ଆଇ ମନୋହର ପ୍ରଧାନଙ୍କ ସହ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ପୋଲିସ ଫେରାର୍‌ ତିନି ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରିଛି। ଏନେଇ କୋଇଡ଼ା ଥାନାରେ ଏକ ମାମଲା (ନଂ. ୬୨।୨୦୨୧) ରୁଜୁ ହୋଇଛି।