ଆତ୍ମସମର୍ପଣ କଲେ କନ୍ଧମାଳର ୨ଯୁବକ

ଭୁବନେଶ୍ୱର(ବ୍ୟୁରୋ)/ ଫୁଲବାଣୀ ଅଫିସ, ୧୪।୧୦: ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ନିକଟସ୍ଥ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ମୃତଦେହ ମିଳିବା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ମଙ୍ଗଳବାର କମିଶନରେଟ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ବୁଧବାର ସକାଳେ ଆଉ ୨ଜଣ ଯୁବକ କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଫୁଲବାଣୀ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଏବଂ ଅମଲାପଡ଼ାର ଦୀନେଶ ମହାପାତ୍ର। ଏହି ୨ଜଣଙ୍କ ମଧ୍ୟରୁ ମୃତ୍ୟୁଞ୍ଜୟ ଠିକାଦାର ଏବଂ ଦୀନେଶ କ୍ୟାମେରାମ୍ୟାନ ଅଟନ୍ତି। ଉଭୟଙ୍କୁ ଅପରାହ୍ନରେ କମିଶନରେଟର ଇନ୍‌ଫୋସିଟି ଥାନା ପୋଲିସ ଭୁବନେଶ୍ୱର ଆଣି ପଚରାଉଚରା ଜାରି ରଖିଛି। ମୃତ୍ୟୁଞ୍ଜୟ ଓ ଦୀନେଶ ଶନିବାର ରାତିରେ ସାଉଥ୍‌ସିଟି ହୋଟେଲରେ ଉପସ୍ଥିତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
କମିଶନରେଟ ପୋଲିସ ପୂର୍ବରୁ ଅଟକ ରଖିଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ମଙ୍ଗଳବାର ଫୁଲବାଣୀରୁ ଉଠାଇ ନେଇଥିଲା। ସେହି ଯୁବକ ଜଣକ ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରନ୍ତି। ପୂର୍ବରୁ ଅଟକ ଥିବା ୨ ଯୁବକ ଓ ଆତ୍ମସମର୍ପଣ କରିଥିବା ଯୁବକଙ୍କ ମଧ୍ୟରେ ମନୀଷଙ୍କ କି ସମ୍ପର୍କ, ସେମାନେ ଶନିବାର ରାତିରେ ସାଉଥ୍‌ ସିଟି ହୋଟେଲର ବାରରେ କ’ଣ କରୁଥିଲେ, ମନୀଷଙ୍କୁ ସାଥିରେ ନ ନେଇ ପ୍ରଥମେ କ’ଣ ପାଇଁ ସେମାନେ ଚାଲିଯାଇଥିଲେ ଏଭଳି ଦିଗକୁ ନେଇ ପୋଲିସ ଜେରା କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ ମନୀଷଙ୍କ ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥାଇପାରେ ବୋଲି ସୂଚନା ମିଳିଛି। ତେଣୁ ବ୍ୟବଚ୍ଛେଦର ଚୂଡ଼ାନ୍ତ ରିପୋର୍ଟ, ଭିସେରା ଓ ଡାଏଟମ୍‌ ରିପୋର୍ଟ ଆସିଲେ ହିଁ ମୃତ୍ୟୁର କାରଣ ଜଣାପଡିବ। ଏହି ଘଟଣା ଉପରୁ ପରଦା ଉଠାଇବା ପାଇଁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସହ ତମାଣ୍ଡୋ ଓ ଇନ୍‌ଫୋସିଟି ଥାନା ପୋଲିସ ମିଳିତ ଭାବେ ତଦନ୍ତ ଚଳାଇଛନ୍ତି। ପ୍ରକାଶ ଯେ, ମନୀଷ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଭୋର ୪ଟା ୧୨ରୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ରବିବାର ସକାଳେ ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ଅପରାହ୍ନ ୨ଟାରେ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଜବତ କରାଯାଇଥିଲା। ଏନେଇ ଇନ୍‌ଫୋସିଟି ପୋଲିସ ଏକ ମାମଲା(ନଂ.୨୨୨/୨୧) ରୁଜୁ କରି ତଦନ୍ତ ଜାରି ରହିଛି।