Categories: ଜାତୀୟ

୨ ବର୍ଷ ପରେ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି

ନୂଆଦିଲ୍ଲୀ,୫ା୪: ପ୍ରାୟ ୨ ବର୍ଷ ହେଲା ସୁପ୍ରିମକୋର୍ଟରେ ବନ୍ଦ ଥିବା ପୂର୍ଣ୍ଣ ପ୍ରତ୍ୟକ୍ଷ ଶୁଣାଣି ସୋମବାର ଆରମ୍ଭ ହୋଇଛି। କୋଭିଡ୍‌ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚଠାରୁ ଭର୍ଚୁଆଲ୍‌ ମୋଡ୍‌ରେ ବିଭିନ୍ନ ମାମଲାର ଶୁଣାଣି କରାଯାଉଥିଲା। ତେବେ ଗତବର୍ଷ ଅକ୍ଟୋବରରୁ ସର୍ବୋଚ୍ଚ ଅଦାଲତରେ ଆଂଶିକ ଭାବେ ପ୍ରତ୍ୟକ୍ଷ ଶୁଣାଣି ଚାଲିଥିଲା। କରୋନା ସଂକ୍ରମଣ କମିବା ପରେ ଏପ୍ରିଲ ୪ରୁ ଫିଜିକାଲ୍‌ ହିଅରିଂ ପାଇଁ ସୁପ୍ରିମକୋର୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଓର (ଏସ୍‌ଓପି) ଜାରି କରିଥିଲେ। ଏକ ମାମଲାର ଶୁଣାଣି କରିବା ପୂର୍ବରୁ ସକାଳେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନା ଅଦାଲତ ଚାରିପାର୍ଶ୍ୱ ବୁଲି ସହକର୍ମୀ ତଥା କୋର୍ଟ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।
୨୦୨୦ ପରଠାରୁ ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏସ୍‌ଓପିରେ ଏକାଧିକ ଥର ପରିବର୍ତ୍ତନ କରିଥିଲେ। କେବଳ ବୁଧବାର ଏବଂ ଗୁରୁବାର ପାଇଁ ତାଲିକାଭୁକ୍ତ ହୋଇଥିବା ମାମଲାଗୁଡ଼ିକର ପ୍ରତ୍ୟକ୍ଷ ଶୁଣାଣି ପାଇଁ ଗତ ଫେବୃୟାରୀ ୭ରେ କୋର୍ଟ ଏସ୍‌ଓପି ଜାରି କରିଥିଲେ। ଏହା ପୂର୍ବରୁ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଶୁଣାଣି ଭର୍ଚୁଆଲ ମୋଡ୍‌ରେ ହେବା ନିମନ୍ତେ ଗତ ଜାନୁୟାରୀରେ ସର୍ବୋଚ୍ଚ ଅଦାଲତ ସ୍ଥିର କରିଥିଲେ। ଏବେ ସୁପ୍ରିମକୋର୍ଟରେ ହେବାକୁ ଥିବା ସମସ୍ତ ମାମଲାର ଶୁଣାଣି ପ୍ରତ୍ୟକ୍ଷ ଭାବରେ କରାଯିବ।

Share