ମାଡ଼ ମାରିଥିବା ଶିକ୍ଷୟିତ୍ରୀ ସମେତ ୨ ନିଲମ୍ବିତ

କାଲିମେଳା,୨ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତର ଏମ୍‌ପିଭି-୬୫ ଅପ୍‌ଗ୍ରେଡ୍‌ ହାଇସ୍କୁଲରେ ଦୁଇ ଶିକ୍ଷାଧିକାରୀଙ୍କ ସମ୍ମୁଖରେ ଜଣେ ଶିକ୍ଷକଙ୍କୁ ସେହି ସ୍କୁଲର ଶିକ୍ଷୟିତ୍ରୀ ମାଡ଼ ମାରିବା ଘଟଣାରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମାଡ଼ ମାରିଥିବା ସହକାରୀ ଶିକ୍ଷୟିତ୍ରୀ ଇଲା ସେନ୍‌ ଏବଂ ମାଡ଼ ମାରିବା ସମୟର ଭିଡିଓ ଭାଇରାଲ କରିଥିବା ଶିକ୍ଷକ ଅନିଲ ବିଶ୍ୱାସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେହିପରି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ୟାମଲକାନ୍ତି ଦାସ ଏବଂ ଅନ୍ୟ ଦୁଇ ଶିକ୍ଷକ ସାମ୍ରାଟ କେଶରୀ ବେହେରା ଓ ରତନ ଦାସଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ସ୍କୁଲର ୨ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ବିବାଦ ରହିଥିଲା। ଶିକ୍ଷୟିତ୍ରୀ ଜଣକ କିଛିଦିନ ତଳେ ଦୁଇ ଶିକ୍ଷକଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଦ୍ୱାରା ସମସ୍ୟାର ସମାଧାନ କରାଯାଇଥିଲା। ଏ ନେଇ ଶିକ୍ଷୟିତ୍ରୀ ଜଣକ କାଲିମେଳା ବିଇଓଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଗତ ମଙ୍ଗଳବାର କାଲିମେଳା ଏବିଇଓ ଚିନ୍ତାହରଣ ମଧୁ ଓ ଅସିତ ମିସ୍ତ୍ରି ତଦନ୍ତ କରିବାକୁ ସ୍କୁଲକୁ ଯାଇଥିଲେ। ଏହି ସମୟରେ ସିଆର୍‌ସିସି ସୁଭାଷ ମଣ୍ଡଳ, ଏସ୍‌ଏମ୍‌ସି ସଭାପତି ସୁମନ୍ତ ରାୟଙ୍କ ଉପସ୍ଥିତିରେ ବୈଠକ ଚାଲିଥିବାବେଳେ ଶିକ୍ଷୟିତ୍ରୀ ଇଲା ସେନ୍‌ ଉତ୍ତ୍ୟକ୍ତ ହୋଇ ଅଧିକାରୀମାନଙ୍କ ସମ୍ମୁଖରେ ଶିକ୍ଷକଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ମାଡ଼ ଖାଇଥିବା ଶିକ୍ଷକ ସମ୍ରାଟ କେଶରୀ ବେହେରା ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଇଓଙ୍କ ନିକଟରେ ଅଭିଯୋଗ କରିଥିଲେ।
ଏହି ଘଟଣା ମାଲକାନଗିରି ଜିଲା ସମେତ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହେବାପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଡିଇଓ ମାନସ ରଞ୍ଜନ ଜେନା ଗୁରୁବାର ଏମ୍‌ପିଭି- ୬୫ ହାଇସ୍କୁଲ ଗସ୍ତକରି ଘଟଣାର ତଦନ୍ତ କରିଥିଲେ। ପରେ ଡିଇଓଙ୍କ ନିର୍ଦ୍ଦେଶରେ କାଲିମେଳା ବିଇଓ ରମେଶ ବାରୋଇ ୨ ଶିକ୍ଷୟିତ୍ରୀ ଏବଂ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ସ୍କୁଲରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଅନ୍ୟ ୩ ଶିକ୍ଷକଙ୍କୁ ମଧ୍ୟ ବଦଳି କରାଯିବା ପାଇଁ ପଦକ୍ଷେପ ନିଆଯାଉଥିବା ବିଇଓ ସୂଚନା ଦେଇଛନ୍ତି।