୨ ବୁଥ୍‌ରେ ପଡ଼ିଲାନି ଖଣ୍ଡିଏ ଭୋଟ

ଢେଙ୍କାନାଳ ଅଫିସ୍‌, ୧୯ ।୨

ଅନୁରୋଧ କଲେ। ଦାବି ଜଣାଇଲେ। ପ୍ରତିବାଦ କଲେ। ହେଲେ ଲୋକମାନଙ୍କ ସମସ୍ୟାକୁ କେହି ଗୁରୁତ୍ୱ ଦେଲେନି କି ଦୁର୍ଗାପ୍ରସାଦକୁ ମିଳିଲାନି ରାଜସ୍ବ ମୌଜା ମାନ୍ୟତା। ଅଞ୍ଚଳବାସୀଙ୍କ ସମ୍ମାନ ଓ ଭାବାବେଗ ସହିତ ଜଡ଼ିତ ଏହି ପ୍ରସଙ୍ଗରେ ପ୍ରଶାସନିକ ଉଦାସୀନତାର ଜବାବ ଭୋଟବର୍ଜନ କରି ଦେଇଛନ୍ତି ଅଞ୍ଚଳବାସୀ। ଗ୍ରାମର ଜଣେ କେହି ଭୋଟର ମତଦାନ କରି ନ ଥିବାରୁ ଖାଲି ଭୋଟ ବାକ୍ସ ନେଇ ଫେରିଛନ୍ତି ପୋଲିଂ ପାର୍ଟି। ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଅପହରଣ, ରାଜନୈତିକ ହିଂସା, ବାଲଟ ବାକ୍ସ ଲୁଟ୍‌ ଭଳି ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଢେଙ୍କାନାଳ ଜିଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଦୁର୍ଗାପ୍ରସାଦ ଗ୍ରାମବାସୀଙ୍କ ଭୋଟବର୍ଜନ ପ୍ରଶାସନିକ ଅବହେଳାର କଡ଼ା ଜବାବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି।
୨ ଓ୍ବାର୍ଡ ବିଶିଷ୍ଟ ଦୁର୍ଗାପ୍ରସାଦ ଗ୍ରାମର ୧୧ନଂ. ବୁଥ୍‌ରେ ୪୧୪ ଏବଂ ୧୨ନଂ. ବୁଥରେ ୪୨୪ ଭୋଟର ଅଛନ୍ତି। ବ୍ଲକର ସାମାଜିକ, ସାଂସ୍କୃତିକ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଏହି ଗ୍ରାମକୁ ରାଜସ୍ବ ମୌଜା ମାନ୍ୟତା ଦେବା ଲାଗି ୨୦୦୯ରୁ ପ୍ରଶାସନିକ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ଏଯାଏ ପୂରଣ ହୋଇନାହିଁ। ପ୍ରତିବାଦ ସ୍ବରୂପ ଗତ ଜାନୁୟାରୀ ୨୮ରେ ଗ୍ରାମବାସୀ ଭୋଟବର୍ଜନ କରିବା ଲାଗି ଚେତାବନୀ ଦେବାସହ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ନିର୍ବାଚନ ପୂର୍ବରୁ ଜିଲାପାଳ ଗ୍ରାମକୁ ଯାଇ ସେଠାକାର ଲୋକଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସମାଧାନର ପନ୍ଥା ବାହାରି ନ ଥିଲା। ଫଳରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗ୍ରାମବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ହୋଇଥିବା ମତଦାନ କେନ୍ଦ୍ର ଆଗରେ ଟାୟାରଜାଳି ଧାରଣା ଦେବା ସହିତ ଭୋଟ ବର୍ଜନ କରିଥିଲେ। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଦୁର୍ଗାପ୍ରସାଦକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ଲାଗି କିଛି କାର୍ଯ୍ୟ ବାକି ରହିଛି। ଏଥିଲାଗି ସମୟ ଲାଗିବ। ସମସ୍ୟାର ସମାଧାନ ଲାଗି ଦୃଷ୍ଟି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।