ଭୋଟ ଦେଲେ ନାହିଁ ଗ୍ରାମବାସୀ

କୋକସରା,୨୦।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ରବିବାର ଶେଷ ହୋଇଛି। ହେଲେ ବ୍ଲକର କନ୍ଦାବୁଟ୍ରା ପଞ୍ଚାୟତ ତୁନଗାଁର ୫ଟି ୱାର୍ଡ ଓ ଆମପାଣି ପଞ୍ଚାୟତ କୁଟୁରୁର ୬ ନଂ. ୱାର୍ଡରେ ମୌଳିକ ସୁବିଧା ମିଳୁ ନ ଥିବା ନେଇ ଲୋକେ ଭୋଟ ବର୍ଜନ କରିଛନ୍ତି।

ସୂଚନା ଅନୁସାରେ, କନ୍ଦାବୁଟ୍ରା ପଞ୍ଚାୟତ କାର୍ଯ୍ୟାଳୟ ତୁନଗାଁରେ ନିର୍ମାଣ ନେଇ ପୂର୍ବରୁ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ଏହାକୁ ଅଣଦେଖା କରି ପଞ୍ଚାୟତ କାର୍ଯ୍ୟାଳୟ ତୁନଗାଁ ପରିବର୍ତ୍ତ କନ୍ଦାବୁଟ୍ରାରେ ନିର୍ମାଣକୁ ବିରୋଧ କରି ପୂର୍ବରୁ ଅନେକ ସମୟରେ ଗ୍ରାମବାସୀ ପ୍ରତିବାଦ କରି ଆସୁଛନ୍ତି। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଇ ନ ଥିବାରୁ ନିଜର ମୌଳିକ ଦାବି ନେଇ ତୁନଗାଁର ୫ଟି ଓ୍ବାର୍ଡର ୧୨୨୮ଜଣ ଭୋଟ ବର୍ଜନ କରିଛନ୍ତି।

ସେହିପରି ଆମପାଣି ପଞ୍ଚାୟତ କୁଟୁରୁ ଗାଁରେ ପାନୀୟ ଜଳ ସମସ୍ୟା, ମୋବାଇଲ ନେଟୱାର୍କ, ସ୍ବାସ୍ଥ୍ୟସେବା, ଗମନାଗମନ ଆଦି ସମସ୍ୟା ନେଇ ୱାର୍ଡ ୬ର ୧୯୪ଜଣ ଭୋଟର ମତାଦାନରେ ଭାଗ ନେଇ ନ ଥିବା ଜଣାପଡ଼ିଛି। ଉଭୟ ଗାଁରେ ପୋଲିଂ କର୍ମଚାରୀ ପହଞ୍ଚତ୍ ଥିଲେ ମଧ୍ୟ ଗ୍ରାମବାସୀ ନିଜର ହକ ପ୍ରଶାସନ ନିକଟରେ ଜାହିର କରିବା ପାଇଁ ମତାଦାନ କରିନାହାନ୍ତି। ତୁନଗାଁରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ ଏସଡିପିଓ ଅବିନାଶ ସୋନକରଙ୍କ ସମେତ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ଓ ପୋଲିସ ପହଞ୍ଚତ୍ କୌଣସି ଅଶାନ୍ତିକର ପରିସ୍ଥିତି ସୃଷ୍ଟି ନ କରିବାକୁ ଅନୁରୋଧ କରିଥିଲେ।