ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ପୋଲିସ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରଛି। ଏନେଇ ଘସିପୁରା ଥାନାରେ ଏକ ମାମଲା(ନଂ. ୪୧୭/୨୬) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ କଥାପାଳ ଗ୍ରାମର ଯଦୁମଣି ଜେନା(୫୧) ସ୍ତ୍ରୀଙ୍କ ସହ ଗତ ୩ ତାରିଖ ସକାଳ ପ୍ରାୟ ୧୦ଟାରେ ଘରେ ତାଲା ପକାଇ ସ୍କୁଲ ଯାଇଥିଲେ। ଅପରାହ୍ନ ପ୍ରାୟ ୩ଟା ୩୦ରେ ଉଭୟ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ଘରର ତାଲା ଭଙ୍ଗା ଥିବା ଦେଖି ଘର ଭିତରକୁ ଯାଞ୍ଚ କରିବା ପରେ ଘରୁ ନଗଦ ପ୍ରାୟ ୧ ଲକ୍ଷ ଟଙ୍କା ସହ କିଛି ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଯଦୁମଣି ଘଟଣା ସମ୍ପର୍କରେ ଘସିପୁରା ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସଚୋରି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଚିହ୍ନଟ କରି ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲା ବେଲଡାଙ୍ଗା ଥାନା ଜନକୀନଗର ଗ୍ରାମର ଆମିର ହୁସେନଙ୍କ ପୁଅ ମହମ୍ମଦ ଜାମିର ହୁସେନ(୩୪) ଏବଂ ମୁର୍ଶିଦାବାଦ ଜିଲା ଜଙ୍ଗିପୁର ଥାନା ନୟାଚକପଡ଼ା ଗ୍ରାମର ଲଖୁ ଏସ୍କେଙ୍କ ପୁଅ ସାକିରୁଲ ଏସ୍କେ(୩୨)।
ପୋଲିସ ତଦନ୍ତରୁ ସୂଚନା ମୁତାବକ, ଗିରଫ ଦୁଇ ଅଭିଯୁକ୍ତ ଗତ ଜୁନ ଏବଂ ଜୁଲାଇ ମାସରେ ଯଦୁମଣିଙ୍କ ଘରେ ଟାଇଲ୍ କାମରେ ନିୟୋଜିତ ଥିଲେ। ଏନେଇ ଅଭିଯୁକ୍ତ ଦ୍ୱୟ ଘରେ ରଖାଯାଉଥିବା ଟଙ୍କା, ଅଳଙ୍କାର ସମ୍ପର୍କରେ ଜାଣିବାକୁ ପାଇଥିଲେ। ଘରମାଲିକ ଓ ତାଙ୍କ ସ୍ତ୍ରୀ ସ୍କୁଲକୁ ଯାଇଥିବା ସୁଯୋଗ ନେଇ ଅଭିଯୁକ୍ତ ଦ୍ୱୟ ଘରେ ପଶି ଚୋରି କରିଥିବା ଜଣାପଡିଛି। ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଚୋରି ହୋଇଥିବା ନଗଦ ଟଙ୍କା ଓ ସୁନା, ରୁପା ଅଳଙ୍କାର ଉଦ୍ଧାର କରିବା ନେଇ ପୋଲିସ ତଦନ୍ତ ଜାରି ରଖିଛି।