Categories: ଜାତୀୟ

ରଣବୀରଗଡ଼ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେଶନ୍‌ ଜାରି

ଶ୍ରୀନଗର,୨୫।୭: ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗର ଉପକଣ୍ଠରେ ସେନା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ସର୍ଚ୍ଚ ଅପରେଶନ୍‌ ଅଭିଯାନ ଆରମ୍ଭ କରାଯାଇଛି। ଶ୍ରୀନଗର ଉପକଣ୍ଠରେ ଥିବା ରଣବୀରଗଡ଼ରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ନେଇ ଶନିବାର ବିଶ୍ୱସ୍ତ ସୂତ୍ରରୁ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ଏହାପରେ ଶନିବାର ସକାଳେ ୨୯ ରାଷ୍ଟ୍ରୀୟ ରାଇଫଲ ସେନା, ଜମ୍ମୁ-କଶ୍ମୀର ପୋଲିସ, ଏସ୍‌ଓଜି ଓ ସିଆରଏଫ୍‌ ଯବାନ ମିଳିତ ଭାବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରିଥିଲେ। ସେହି ସମୟରେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଭୟଭୀତ ହୋଇପଡ଼ି ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାର ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଏହି ଗୁଳି ବିନିମୟରେ ୨ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି। ଅନ୍ୟପଟେ ଆହୁରି ଆତଙ୍କବାଦୀ ଲୁଚିରହିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଏଥିସହ ସୁରକ୍ଷା ଦୃଷ୍ଟିରୁ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଥିବା ସୂଚନା ରହିଛି।

Share