Categories: ଜାତୀୟ

ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ମୃତ

ଶ୍ରୀନଗର,୨୫ ।୯: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେବା ଫଳରେ ଶୁକ୍ରବାର ସକାଳେ ଲସ୍କର-ଏ-ତୋଏବାର ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଆତଙ୍କବାଦୀମାନେ ଶୋପିଆନର ମିନି ସଚିବାଳନ ନିକଟରେ ମୁତୟନ ଥିବା ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ଏହାପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରିବା ସହ ସର୍ଚ୍ଚ ଅପରେଶନ ଜାରି ରଖିଛି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲା ସିରହାମାରେ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ସେହି ଅଞ୍ଚଳକୁ ଘେରାଉ କରାଯାଇଥିଲା । ଏହାପରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା । ଏହା ଜାଣିପାରି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ହେଲେ ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାର୍କମୀ । ରାତିସାରା ଏଭଳି ପରିସ୍ଥିତିରେ ଶୁକ୍ରବାର ସକାଳେ ଲସ୍କରର ୨ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି ।

Share