ପ୍ରବେଶିକା ପରୀକ୍ଷା ଦେବାକୁ ଯାଇଥିବା ୨ଜଣ ଛାତ୍ର କରୋନା ପଜିଟିଭ୍‌: ଚିନ୍ତାରେ ପ୍ରଶାସନ

ଥିରୁଭାନନ୍ତପୁରମ,୨୧।୭: କେରଳ ଇଞ୍ଜିନିୟରିଂ ଆର୍କିଟେକ୍‌ଚର ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିବା ଥିରୁଭାନନ୍ତପୁରମର ୨ଜଣ ଛାତ୍ର ଓ ଜଣେ ଅଭିଭାବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟଜଣଙ୍କ ଆଉ ଏକ ହଲ୍‌ରେ ପରୀକ୍ଷା ଦେଇଥିଲେ। ସେହିପରି କରୋନା ଆକ୍ରାନ୍ତ ହୋଇଥିବା ଅଭିଭାବକ ଜଣଙ୍କ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଉକ୍ତ ସ୍କୁଲ ପରିସରରେ ହିଁ ରହିଥିଲେ ବୋଲି ସୂଚନା ରହିଛି। ଯାହାକୁ ନେଇ ଏବେ ରାଜ୍ୟ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ପ୍ରଥମ ଛାତ୍ର ଅନ୍ୟ ଛାତ୍ରମାନଙ୍କ ସହ ମିଶି ପରୀକ୍ଷା ଦେଇଥିବା ବେଳେ ଦ୍ୱିତୀୟ ଛାତ୍ର ଜଣକ ଦେଇଥିବା ପରୀକ୍ଷା ହଲ୍‌ରେ ମାତ୍ର ୩ଜଣ ରହିଥିଲେ। ତେବେ ପ୍ରଶାସନ ପାଇଁ ଏବେ ପ୍ରଥମ ଛାତ୍ର ଓ ଅଭିଭାବକ ଚିନ୍ତାର ବିଷୟ ପାଲଟିଛନ୍ତି। କାରଣ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସାଜିଛି। ସୂଚନାଯୋଗ୍ୟ, ମହାମାରୀ କରୋନା ସଂକ୍ରମଣର ବଢ଼ୁଥିବା ମାମଲାକୁ ଦେଖି ପୂର୍ବରୁ ବିରୋଧୀ ସରକାର ଏହି ପରୀକ୍ଷାକୁ ସ୍ଥଗିତ କରିବାକୁ ନିବେଦନ କରିଥିଲେ।

Share