ୟୁକ୍ରେନ୍‌ରେ ଫସି ରହିଛନ୍ତି ସୋର, ଭଦ୍ରକର ୨ ଛାତ୍ରୀ

ସୋର, ୨୫।୨(ଡି.ଏନ.ଏ.)
ୟୁକ୍ରେନ୍‌ ସହରରେ ବାଲେଶ୍ୱର ଜିଲା ସୋର ଓ ଭଦ୍ରକ ଜିଲା ଭାଟପଡା ଅଞ୍ଚଳର ୨ ମେଡିକାଲ ଛାତ୍ରୀ ଫସି ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ଫଳରେ ସମସ୍ତ ବିମାନକୁ ବାତିଲ କରାଯାଇଥିବାରୁ ସେମାନେ ଘରକୁ ଫେରିବା ଆଶା ମଉଳିଯାଇଛି। ଏନେଇ ତାଙ୍କ ପରିବାର ଲୋକେ ଚିନ୍ତା ପଡ଼ିଛନ୍ତି। ଛାତ୍ରୀଦ୍ୱୟ ସେଠାକାର ଏକ ବହୁତଳ ବିଶିଷ୍ଟ କୋଠାରେ ଭୟଭୀତ ଅବସ୍ଥାରେ ରହିଥିବା ପରିବାର ଲୋକେ କହିଛନ୍ତି।
ଉଭୟ ଛାତ୍ରୀ ହେଲେ ସୋର ମ୍ୟୁନିସିପାଲିଟି ଅଧୀନ କମରପୁର ଗ୍ରାମର ଶ୍ରୀକାନ୍ତ ମହାପାତ୍ରଙ୍କ ଝିଅ ସଙ୍ଗୀତା ମହାପାତ୍ର ଏବଂ ଭଦ୍ରକ ଭାଟପଡ଼ା ଗ୍ରାମର କିଶୋର ଚନ୍ଦ୍ର ନାୟକଙ୍କ ଝିଅ ମଧୁମିତା ନାୟକ। ୨୦୧୭ରେ ସଙ୍ଗୀତା ୟୁକ୍ରେନ୍‌ ରାଜଧାନୀରେ ଥିବା କିବ୍‌ ମେଡିକାଲ କଲେଜରେ ଡାକ୍ତରୀ ପାଠ୍ୟକ୍ରମ ପଢ଼ିବା ପାଇଁ ନାମ ଲେଖାଇଥିଲେ। ସେ ଏବେ ୫ମ ବର୍ଷର ଛାତ୍ରୀ। ୨୦୨୧ର ଶେଷ ଭାଗରେ କରୋନା ସଂକ୍ରମଣ ଯୋଗୁ ପାଠପଢ଼ା ବନ୍ଦ ହେବାରୁ ସେ ଘରକୁ ଚାଲି ଆସିଥିଲେ। ଗତ ଜାନୁୟାରୀ ୨୮ରେ କଲେଜ ପାଠପଢ଼ା ଆରମ୍ଭ ହେବା ବାର୍ତ୍ତା ପାଇ ସେ ସେଠାକୁ ଯାଇଥିଲେ। ଋଷ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ସେଥି ମଧ୍ୟରେ ସଙ୍ଗୀତା ଏବଂ ମଧୁମିତାଙ୍କ ସହିତ ଅନ୍ୟ ୫ଜଣଙ୍କ ପାଇଁ ଆସନ୍ତା ୨୮ ତାରିଖରେ ଫ୍ଲାଇଟ ଟିକେଟ କରାଯାଇଥିଲା। ତେବେ ଯୁଦ୍ଧ ଆରମ୍ଭ ହେବାରୁ ସେମାନେ ଫେରିପାରିନାହାନ୍ତି।