ବନ୍ଦର ଆଧୁନିକୀକରଣ ପାଇଁ ୨ ପଦକ୍ଷେପ

ପାରାଦୀପ,୨୩।୧୦(ସ୍ବ.ପ୍ର.): ଦେଶର ବୃହତ ବନ୍ଦର କ୍ଷେତ୍ରରେ ଆଧୁନିକୀକରଣ ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଗତ ସପ୍ତାହ ମଧ୍ୟରେ ଦୁଇଟି ପଦକ୍ଷେପ ନେଇଛନ୍ତି। ତାହା ହେଲା ଭିଟିଏସ୍‌(ଭେସେଲ ଟ୍ରାଫିକ ମନିଟରିଂ) ଏବଂ ଭିଟିଏମ୍‌ଏସ୍‌(ଭେସେଲ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ)। ଏହାକୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟେ ସ୍ବୀକୃତି ଦେଇଛନ୍ତି। ଭିଟିଏସ୍‌ ବୈଷୟିକ ଜ୍ଞାନକୌଶଳ ନିମନ୍ତେ ୧୦ କୋଟି ଟଙ୍କା ଆଇଆଇଟି ଚେନ୍ନାଇକୁ ଦିଆଯାଇଛି। ସେମାନେ ଭିଟିଏସ୍‌କୁ ସ୍ବଦେଶୀ ଜ୍ଞାନ କୌଶଳରେ ଆପଣାଇବେ। ଏହି ବ୍ୟବସ୍ଥାରେ ସ୍ବତନ୍ତ୍ର ଆପ୍‌ ଜରିଆରେ ସମୁଦ୍ରରେ ଯାତାୟାତ କରୁଥିବା ଜାହାଜ ସମ୍ପର୍କରେ ଜାଣିହେବ। ଟ୍ରାଫିକ ନିୟନ୍ତ୍ରଣ ହେବ, ସମୁଦ୍ରରେ ବିପଦରେ ଥିବା ଜାହାଜ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନିଆଯାଇ ପାରିବ ଓ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଆଦି ବ୍ୟବସ୍ଥା ରହିଛି। ଏହାକୁ ଭିଟିଏମ୍‌ଏସ୍‌ ଜରିଆରେ ପରିଚାଳନା କରାଯିବ। ଉକ୍ତ ବ୍ୟବସ୍ଥାକୁ ଆଇଏମଓ (ଇଣ୍ଟରନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେଶନ)ମଧ୍ୟ ସ୍ବୀକୃତି ଦେଇଛି। ଏହା ଜାହାଜ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ହେବ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି। ସେହିପରି ଗୁଜରାଟ ଗାନ୍ଧୀ ନଗରଠାରେ ଗତ ୧୩ ତାରିଖରେ ଜାହାଜ ମରାମତି କେନ୍ଦ୍ର କରାଯାଇଛି। ଏହାକୁ ସରକାର ରିସାଇକ୍ଲେନିଂ ଶିପ ଆକ୍ଟ ୨୦୧୯ କରିଛନ୍ତି। ପୁରୁଣା ଜାହାଜ ଗୁଡିକରେ ଥିବା ଲୁହା ଉନ୍ନତ ମାନର। ସେହି ଲୁହାକୁ ସଂରକ୍ଷଣ କରି ପୁନଃ ବ୍ୟବହାର କରିବା ପାଇଁ ବିଭିନ୍ନ ପଦକ୍ଷେପ ସରକାର ନେବାକୁ ଯାଉଛନ୍ତି।