କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିବା ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଛି। ହେଲେ ଡାକ୍ତରୀ ପାଠ ପଢ଼ିବା ପାଇଁ ଆବଶ୍ୟକ ଖର୍ଚ୍ଚ ଏବେ ସେମାନଙ୍କ ସ୍ବପ୍ନରେ ବାଧକ ସାଜିଛି। ରେଗଡ଼ା ଗ୍ରାମର ଜୟଦ୍ରଥ କମ୍ପ ଓ ରମ୍ଭାବତୀ କମ୍ପଙ୍କ ଦୁଇ ଝିଅ ପ୍ରେମଲତା ଓ ପୁଷ୍ପଲତା। ପ୍ରେମଲତା ନିଟ୍ରେ ୬୧୩ ମାର୍କ ଏବଂ ପୁଷ୍ପଲତା ୫୭୭ ମାର୍କ ରଖି ସଫଳ ହୋଇଛନ୍ତି। ଉଭୟ ଭଉଣୀ ପୂର୍ବରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷାରେ ଜିଲା ଟପ୍ପର ହୋଇଥିଲେ। ବର୍ତ୍ତମାନ ବହୁ କଷ୍ଟରେ ପ୍ରେମଲତାଙ୍କ ବୁର୍ଲା ମେଡିକାଲ କଲେଜରେ ନାମଲେଖା ସରିଛି। ହେଲେ ପୁଷ୍ପଲତାଙ୍କ ନାମଲେଖା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାରେ ପରିବାର ଅସମର୍ଥ ହୋଇପଡ଼ିଛି। ଫଳରେ ମେଧାବୀ ପୁଷ୍ପଲତାଙ୍କ ଡାକ୍ତର ହେବାର ସ୍ବପ୍ନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ପୁଷ୍ପଲତାଙ୍କ ବାପା ଜୟଦ୍ରଥ କମ୍ପ ସରକାରୀ ସ୍ତରରେ ଆର୍ଥିକ ସହାୟତା ପାଇଁ କଳାହାଣ୍ଡି ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି। ଏହି ମେଧାବୀ ଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲାପାଳ ତୁରନ୍ତ ହସ୍ତକ୍ଷେପ କରି ଆର୍ଥିକ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।