ଯୋଧପୁର,୨୨ା୨: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ମନାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିବାର ୨ ଝିଅଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ବିବାହ ଦିନ ୨ ଭଉଣୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣା ପରିବାର ଲୋକଙ୍କୁ ଶୋକରେ ବୁଡ଼ାଇ ଦେଇଛି। ଉଭୟ ବିଷାକ୍ତ ପଦାର୍ଥ ଖାଇ ଜୀବନ ହାରିଥିବା ପୋଲିସ ପକ୍ଷରୁ କୁହାଯାଇଛି।
୨ ଭଉଣୀ ଶୋଭା(୨୫) ଏବଂ ବିମଲା(୨୩)ଙ୍କର ଶନିବାର ବିବାହ ଅନୁଷ୍ଠିତ ହୋଇଥାନ୍ତା। ଶୁକ୍ରବାର ରାତିରେ ପ୍ରାକ୍ ବିବାହ ଉତ୍ସବ ଚାଲିଥିବା ବେଳେ ମଧ୍ୟରାତ୍ରରେ ୨ ଭଉଣୀ ଶୋଇବା ପାଇଁ ଯାଇଥିଲେ।
ଭୋର ୪ଟାରେ ସେମାନଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହେବାରୁ ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଯୋଧପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଏଡିସିପି(ପଶ୍ଚିମ) ରୋଶନ ମୀନା କହିଛନ୍ତି।
ପରିବାର ଲୋକେ ମୃତଦେହକୁ ଫେରାଇ ଆଣି ଶେଷକୃତ୍ୟ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

