କରଡ଼ାକନାରେ ୨ ଦୋକାନ ସିଲ: ୧୦ହଜାର ଜରିମାନା ଆଦାୟ

ଶେରଗଡ଼,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ତହସିଲ ପ୍ରଶାସନ ପକ୍ଷରୁ ପ୍ରତିଦିନ ଅଞ୍ଚଳରେ ଯାଞ୍ଚ କରାଯାଉଛି। ଶେରଗଡ଼ରେ ଗୋଷ୍ଠୀ ସଂକ୍ରମଣ ଯେପରି ନ ହେବ ସେଥି ପ୍ରତି ତହସିଲ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ପ୍ରତିଦିନ ତହସିଲଦାର ଡ଼. ଦୟାସିନ୍ଧୁ ପରିଡ଼ା, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲୀକ, ସୁପଭାଇଜର ମନୋଜ କୁମାର ନାହାକ ଏକ ଟିମ କରି ବ୍ଲକର ସମସ୍ତ ପଞ୍ଚାୟତ ପରିଦର୍ଶନରେ ଯାଉଛନ୍ତି। କିପରି ଲୋକଙ୍କ ଭିତରେ ସାମାଜିକ ଦୂରତା ରହିବ ସେ ଚେଷ୍ଟା ଜାରି ରଖିଛନ୍ତି। ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ବ୍ଲକ ଶଟଡାଉନ ଥିବା ବେଳେ ସୋମବାର କରଡ଼ାକନା ଗ୍ରାମର ୨ଟି ଦୋକାନ ଖୋଲାଯାଇଥିଲା। ସେଠାରେ ପ୍ରବଳ ଗହଳି ହୋଇଥିବା ଯୋଗୁ ୨ ଦୋକାନ ମାଲିକଙ୍କଠାରୁ ୫ ହଜାର ଲେଖାଏ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହା ସହ ୭ଦିନ ପାଇଁ ଦୋକାନକୁ ସିଲ୍‌ କରିଦିଆଯାଇଛି।