କରୋନା ଟିକା ନେବା ପରେ ୨ ସୁରକ୍ଷାକର୍ମୀ ଅସୁସ୍ଥ

ସୁନ୍ଦରଗଡ଼,୧୮।୧(ଡି.ଏନ୍‌.ଏ.) : କୋଭିଡ ଟିକା ନେବା ପରେ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାର ୨ ଜଣ ସୁରକ୍ଷାକର୍ମୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଅନୁଭବ କରିବା ପରେ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଲେ ଦୁବରାଜ ରଣା ଓ ମାନସ କରାଳି। ଦୁବରାଜଙ୍କ କହିବାନୁଯାୟୀ ,ସେ ୧୬ ତାରିଖରେ ଏହି କୋଭିଡ ଟିକା କୋ-ଭ୍ୟାକସିନ ନେଇଥିଲେ। ଟିକା ନେଇ ସେହିଦିନ ଡ୍ୟୁଟି କରି ଘରକୁ ଗଲେ। ତା’ ପରଦିନ ଡ୍ୟୁଟି କଲା ବେଳକୁ ହଠାତ୍‌ ଜ୍ବର ହୋଇ ବାମ ପାଖ ପକ୍ଷାଘାତ ଭଳି ଅନୁଭବ କରିଥିଲେ। ସେହିପରି ମାନସଙ୍କୁ ମଧ୍ୟ ପ୍ରବଳ ଜ୍ବର ହୋଇ ଥିଲା। ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଉଭୟଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରୁ ଟିକାର କୌଣସି ପାଶର୍‌ବ ପ୍ରତିକ୍ରିୟା ନାହିଁ। ଟିକା ନେବା ପରେ ଜ୍ବର ହେବା ସାଧାରଣ କଥା। ଅସୁସ୍ଥ ସ୍ବାସ୍ଥ୍ୟ କର୍ମୀ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଏଥିରେ ଭୟଭୀତ ନ ହୋଇ ସମସ୍ତେ କୋଭିଡ୍‌ ଟିକା ନେବାକୁ ଅନୁରୋଧ କରିଛନ୍ତି।