ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ ଜଳସେଚନ ଓ କୃଷି କାର୍ଯ୍ୟ ପ୍ରଭାବିତ ହେଉଛି। ଏହାର ପ୍ରଭାବରେ କେତେକ ଅଞ୍ଚଳରେ ଜଳାଭାବ ଓ ମରୁଡ଼ି ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ଭବିଷ୍ୟତରେ ଜଳାଭାବର ମୁକାବିଲା ପାଇଁ ଗଞ୍ଜାମର ନଦୀଗୁଡ଼ିକୁ ମହାନଦୀ ସହ ସଂଯୋଗ କରିବା ନେଇ ଅଧ୍ୟୟନ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ନଦୀ ସଂଯୋଗୀକରଣ ସମ୍ଭାବନା ଅନୁଧ୍ୟାନ ପାଇଁ ଏକ ଉଚ୍ଚସ୍ତରୀୟ ଯନ୍ତ୍ରୀ ଦଳ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏଆଇ, ସିଭିଲ ଓ ମେକାନିକାଲ ଇଞ୍ଜିନିୟରଙ୍କୁ ନେଇ ଗଠିତ ୬ ଜଣିଆ ଟିମ ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀନରେ ଥିବା ବଡ଼ନଦୀ ଓ କୋକଳବା ନଦୀର ଉତ୍ପତ୍ତିସ୍ଥଳ ସମେତ ବିଭିନ୍ନ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଏହା ସହ ମହାନଦୀର ବୃତଙ୍ଗ ଓ ସାତକୋଶିଆ ଅଞ୍ଚଳ ମଧ୍ୟ ଟିମ ପରିଦର୍ଶନ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭବିଷ୍ୟତରେ ବୃତଙ୍ଗଠାରୁ ସାତକୋଶିଆ ମଧ୍ୟରେ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ମହାନଦୀର ଜଳକୁ ଗଞ୍ଜାମର ବଡ଼ନଦୀ ଓ କୋକଳବା ନଦୀରେ ପ୍ରବାହିତ କରାଇବାର ସମ୍ଭାବନା ନେଇ ଅଧ୍ୟୟନ କରାଯାଉଛି। ତେବେ ଏହାର ବାସ୍ତବ ରୂପାୟଣ ପୂର୍ବରୁ ଜଳ ଉପଲବ୍ଧତା, ଭୌଗୋଳିକ ସ୍ଥିତି, ଦୂରତା, ଉଚ୍ଚତା, ପରିବେଶୀୟ ପ୍ରଭାବ ଓ ଆର୍ଥିକ ବ୍ୟୟ ଭଳି ବିଭିନ୍ନ ଦିଗର ଯାନ୍ତ୍ରିକ ଅଧ୍ୟୟନ ଆବଶ୍ୟକ ହେବ।

ଗଞ୍ଜାମର କୃଷି ଚିତ୍ରକୁ ଦେଖିଲେ ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ମହାନଦୀର ଜଳକୁ ବୈଜ୍ଞାନିକ ଓ ପରିବେଶସମ୍ମତ ଭାବେ ଗଞ୍ଜାମର ଜଳାଭାବ ପ୍ରବଣ ଅଞ୍ଚଳକୁ ପହଞ୍ଚାଇବା ସମ୍ଭବ ହେଲେ ଜଳସେଚନ ସୁବିଧା ବୃଦ୍ଧି, ଚାଷରେ ଜଳ ନିରାପତ୍ତା, ଭୂତଳ ଜଳର ପୁନଃଭରଣ ଏବଂ ଜଳାଭାବ ସମୟରେ କୃଷକଙ୍କୁ ସହାୟତା ମିଳିବାର ସମ୍ଭାବନା ରହିଛି।

ରାଜ୍ୟ ସରକାର ମଧ୍ୟ ନଦୀ ସଂଯୋଗୀକରଣ ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ଜଳସେଚନ ବୃଦ୍ଧି ଲକ୍ଷ୍ୟ ରଖିଥିବା କୁହାଯାଉଛି। ବଡ଼ନଦୀ ଓ କୋକଳବା ଭଳି ନଦୀକୁ ମହାନଦୀ ସହ ସଂଯୋଗ କରିବାର ଯୋଜନା ବାସ୍ତବ ରୂପ ନେଲେ ଗଞ୍ଜାମର ଜଳସେଚନ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଯୋଡ଼ିବା ସହ ଜିଲାର ଜଳ ନିରାପତ୍ତାକୁ ସୁଦୃଢ଼ କରିବାର ସୁଯୋଗ ସୃଷ୍ଟି ହୋଇପାରେ।

ତେବେ ଏନେଇ ଭଞ୍ଜନଗର ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ସର୍ଭେ ପାଇଁ ଟିମ ଆସିଥିବା ସମ୍ପର୍କରେ ବିଭାଗ ନିକଟରେ କୌଣସି ସରକାରୀ ସୂଚନା ନାହିଁ। ତେଣୁ ଏ ସମ୍ପର୍କରେ କିଛି କହିହେବ ନାହିଁ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share