Categories: ଖେଳ

ରାଜ୍ୟଗୋଷ୍ଠୀ କ୍ରୀଡା ପରେ ୨ ବକ୍ସର ନିଖୋଜ

ବର୍ମିଂହମ,୧୧।୮: ରାଜ୍ୟଗୋଷ୍ଠୀ କ୍ରାଡ଼ା ୨୦୨୨ ଶେଷ ହେବା ପରେ ଦୁଇ ଜଣ ପାକିସ୍ତାନୀ ବକ୍ସର ବର୍ମିଂହାମରେ ନିଖୋଜ ହୋଇଯାଇଛନ୍ତି। ବୁଧବାର ଜାତୀୟ ଫେଡେରେସନ ଏହି ସୂଚନା ଦେଇଛି। ପାକିସ୍ତାନ ବକ୍ସିଂ ଫେଡେରେଶନ (ପିବିଏଫ) ସଚିବ ନାସିର ଟାଙ୍ଗ ଏହି ଖବରକୁ ନିଶ୍ଚିତ କରିଛନ୍ତି ଯେ, ଦଳ ଇସଲାମାବାଦ ଯିବା ପୂର୍ବରୁ ବକ୍ସର ସୁଲେମାନ ବାଲୋଚ ଏବଂ ନାଜିରୁଲ୍ଲା ନିଖୋଜ ହୋଇଯାଇଛନ୍ତି। ପିବିଏଫ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହାର ବକ୍ସରମାନଙ୍କୁ ଖୋଜୁଛି।
ଉଭୟ ପାକିସ୍ତାନୀ ଖେଳାଳି ନିଜ ଦେଶକୁ ଯିବା ପୂର୍ବରୁ ବିମାନବନ୍ଦରରୁ ନିଖୋଜ ହୋଇଯାଇଥିଲେ। ପାକିସ୍ତାନ ଅଲିମ୍ପିକ ଆସୋସିଏସନ ଏହି ଘଟଣାର ତଦନ୍ତ ପାଇଁ ଚାରିଜଣିଆ କମିଟି ଗଠନ କରିଛି।
ହେଭିୱେଟ ବକ୍ସର (୮୬-୯୨ କେଜି) ନାଜିର ୧୬ତମ ରାଉଣ୍ଡରେ ନକ୍‌ଆଉଟ ହୋଇଥିଲେ। ହାଲୁକା ୱେଲଟରୱେଟ ବର୍ଗରେ (୬୦-୬୩.୫ କିଲୋଗ୍ରାମ) ୩୨ ତମ ରାଉଣ୍ଡରେ ସୁଲେମାନ ବାଲୋଚ ହାରିଯାଇଥିଲେ। ରାଜ୍ୟଗୋଷ୍ଠୀ କ୍ରାଡ଼ା ପାଇଁ ବ୍ରିଟେନ ଯାଇଥିବା ପାକିସ୍ତାନର କଣ୍ଟିଜେଣ୍ଟରେ ପାଞ୍ଚ ଜଣ ବକ୍ସର ଏବଂ ଚାରିଜଣ ଅଧିକାରୀ ସାମିଲ ହୋଇଥିଲେ।

Share