ଓଟିଡିସିର ୨ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୭।୫(ବ୍ୟୁରୋ): ଗତ ପଞ୍ଚାୟତ ନିର୍ବାଚନ ସମୟରେ ତେଲ ବିଲ୍‌ରେ ଜାଲିଆତି କରି ଏପ୍ରିଲ ୨୦ରେ ସମ୍ବଲପୁର ଜିଲାର ୩ଜଣ ପୋଲିସ କର୍ମଚାରୀ ନିଲମ୍ବନ ହୋଇଥିଲେ। ଉକ୍ତ ଘଟଣାକୁ ମାସେ ନ ପୂରୁଣୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଜର ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ଓଟିଡିସିର ପରିବହନ ମ୍ୟାନେଜର ଏବଂ ଜଣେ ଡ୍ରାଇଭରଙ୍କୁ ନିଲମ୍ବନ କରାଯିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ଓଟିଡିସି ଅଧ୍ୟକ୍ଷାଙ୍କ ଗାଡ଼ି ନାଁରେ ମିଛ ତେଲ ବିଲ୍‌ ନେଇଥିବା ଅଭିଯୋଗରେ ଡ୍ରାଇଭର ଅତୁଲ୍ୟ କୁମାର ମହାନ୍ତି ଓ ଓଟିଡିସି ମ୍ୟାନେଜର ଅକ୍ଷୟ ମହାଳିକଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ କରାଯାଇଛି। ଏହି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ସରକାରୀ ପାଣ୍ଠି ତୋସରପାତ ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି। ବିଭାଗୀୟ ଯାଞ୍ଚ ସମୟରେ ଏହି ଜାଲିଆତି କଥା ଜଣାପଡ଼ିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇ ଅର୍ଥ ତୋସରପାତ ସହ ଜଡ଼ିତ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସେମାନଙ୍କଠାରୁ ଅର୍ଥ ଆଦାୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏନେଇ ଓଟିଡିସି ଅଧ୍ୟକ୍ଷା ମିଶ୍ରଙ୍କୁ ପଚାରିବାରେ ସେ ଏହି ଘଟଣାକୁ ସ୍ବୀକାର କରିବା ସହ ଏନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି।