ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ ଲଘିଂ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଶୁକ୍ରବାର ରାତିରେ ପ୍ରବଳ ଜୁଆର ମାଡ଼ରେ ଆର୍ଯ୍ୟପଲ୍ଲୀ କୂଳରେ ଥିବା ୨ଟି ମନ୍ଦିର ସମୁଦ୍ର ଗର୍ଭରେ ଲୀନ ହୋଇଥିବା ବେଳେ ଆଉ ୨ଟି ମନ୍ଦିର ବିପଦରେ ରହିଛି। ମନ୍ଦିର ନିକଟକୁ ଜୁଆର ପହଞ୍ଚି ସାରିଥିବାରୁ ଯେ କୌଣସି ମୁହୂର୍ତ୍ତରେ ଏହା ସମୁଦ୍ର ଗର୍ଭକୁ ଚାଲିଯିବା ଆଶଙ୍କା ଦେଖାଦେଇଛି। ପୂର୍ୱରୁ ମଧ୍ୟ ସମୁଦ୍ରକୂଳ ଲଂଘିବା ଯୋଗୁ କୂଳରେ ଥିବା ଏକାଧିକ ମନ୍ଦିର, ଗ୍ରାମର ରାସ୍ତା ଆଦି ଧୋଇଯାଇଛି। ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏପରି ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଆନ୍ଦୋଳନ କରିଥିଲେ। ଜିଲା ପ୍ରଶାସନ, ଗ୍ରାମବାସୀ ଓ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ନେଇ ଏକ ମିଳିତ ବୈଠକ ହୋଇଥିଲା। ଏହାପରେ ସମୁଦ୍ର କୂଳରେ ପଥର ପକାଇ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ତେବେ କୂଳକ୍ଷୟକୁ ରୋକିବା ପାଇଁ କେବଳ ପଥର ପ୍ୟାକିଂ ଯଥେଷ୍ଟ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି। ସ୍ଥାୟୀ ସମାଧାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଡିପିଆର୍ ପ୍ରସ୍ତୁତ କରାଯାଇଥିବା ଏବଂ ଏହାକୁ ମଞ୍ଜୁରୀ ମିଳିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ୱରୁ ସୂଚନା ଦିଆଯାଇଥିଲା। ତେବେ ମଞ୍ଜୁରୀ ଓ କାର୍ଯ୍ୟ ଆରମ୍ଭ ମଧ୍ୟରେ ବିଳମ୍ୱ ହେଲେ ଆଉ ଅଧିକ ଅଞ୍ଚଳ ସମୁଦ୍ର ଗର୍ଭକୁ ଚାଲିଯିବା ଆଶଙ୍କା ରହିଛି।