ସାହାରପଡା ବ୍ଲକରେ ଆଉ ୨ ନୂଆ ପଜିଟିଭ ଚିହ୍ନଟ: ୫ ଦିନ ଯାଏଁ ମାଛଗଡ଼ ପଞ୍ଚାୟତ ଶଟ୍‌ଡାଉନ

ପାଟଣା,୨୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତରେ ଗୁରୁବାର ଆଉ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସାହାରପଡା ବ୍ଲକରେ ପଜିଟିଭ ସଂଖ୍ୟା ୭ରେ ପହଞ୍ଚିଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରର ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ୨ଜଣ ହେଲେ ୨୪ ଓ ୨୬ ବର୍ଷୀୟ ଯୁବକ। ଜୁନ ୯ରେ ଦୁହେଁ ଗୁଜରାଟରୁ ଫେରିଥିଲେ। ବୁଧବାର ଅପରାହ୍ନରେ ବିଡ଼ିଓ, ଡାକ୍ତର ଓ ବିପିଏମ୍‌ଙ୍କ ଉପସ୍ଥିତିରେ ଏମାନଙ୍କୁ ଜିଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ ସୁରକ୍ଷା ଦୃଷ୍ଟିରୁ ସରପଞ୍ଚ ଈଶ୍ୱର ନାଏକ ଜିଲାପାଳଙ୍କ କ୍ଷମତା ବ୍ୟବହାର କରି ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତର ୯ଟି ଗାଁକୁ ବୁଧବାର ରାତିରୁ ୫ ଦିନ ଯାଏଁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଉକ୍ତ ଗାଁଗୁଡିକ ହେଉଛି ଦୁଧିନାଳୀ, ବାଉଁଶ ନାଳୀ, ସାନ ବାଲିପଶି, ପଇତା ମଜା, କାଳିଆ ଦୁମା, ମାଛଗଡ଼, ସୁନାରୀ ପଶି, ଓସ୍ତ ଯୋଡି ଓ କମାରମରା।