ପେରୁ ହିଂସା ମଧ୍ୟରେ ଶିକ୍ଷା-ସଂସ୍କୃତି ମନ୍ତ୍ରୀ ଦେଲେ ଇସ୍ତଫା

ପେରୁ,୧୭।୧୨: ଦକ୍ଷିଣ ଆମେରିକାର ପେରୁରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ଗିରଫ ହେବା ପରେ ଦେଶର କୋଣ ଅନୁକୋଣରୁ ହିଂସାତ୍ମକ ପରିସ୍ଥିତି ଦେଖାଦେଇଛି। ରାସ୍ତାକୁ ଓହ୍ଲାଇ ବିକ୍ଷୋଭକାରୀମାନେ ପୁନର୍ବାର ନିର୍ବାଚନ ଦାବିରେ ଜିଦ୍‌ରେ ଅଟଳ ରହିଛନ୍ତି। ଅନ୍ୟପଟେ ପୋଲିସ ଅନେକ ବିକ୍ଷୋଭକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପେରୁର ପ୍ରତିରକ୍ଷାମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଦେଶରେ ଜରୁରୀକାଳୀନ ପରିସ୍ଥିତି ୩୦ଦିନ ଯାଏ ରହିବ। ଇତିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶରେ ବଢ଼ୁଥିବା ହିଂସାକୁ ଦୃଷ୍ଟିରେ ରଖି ଦୁଇଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶିକ୍ଷା ମନ୍ତ୍ରୀ ପାଟ୍ରିସିଆ କୋରିଆ ଏବଂ ସଂସ୍କୃତ ମନ୍ତ୍ରୀ ଜାୟର ପେରେଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶିକ୍ଷା ମନ୍ତ୍ରୀ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଶନିବାର ସକାଳେ ସେ ନିଜ ଇସ୍ତଫା ହସ୍ତାନ୍ତର କରିଛନ୍ତି ବୋଲି ମନ୍ତ୍ରୀ ପାଟ୍ରିସିଆ କହିଛନ୍ତି।

Share