ସଡ଼କ ଦୁର୍ଘଟଣାରେ ୨ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ପାଟଣା,୨୫।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ଶିଶୁ ମନ୍ଦିର ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାରିଆ ଥାନା ପାଣପଶି ଗ୍ରାମର ଭରତ ମାହାନ୍ତ ଓ ପ୍ରଫୁଲ୍ଲ ଲୋହାର। ଗୁରୁତର ହେଲେ ହରେକୃଷ୍ଣ ମହାନ୍ତ।
ସୂଚନାଅନୁଯାୟୀ, ଭରତ, ପ୍ରଫୁଲ୍ଲ ଓ ହରେକୃଷ୍ଣ ଏକ ବାଇକ ଯୋଗେ ପାଣପଶି ଗ୍ରାମରୁ ଶୁଙ୍କୁଳାପଶିକୁ ଏକ ଶୁଦ୍ଧିକ୍ରିୟାକୁ ଯୋଗ ଦେବାକୁ ଯାଉଥିବାବେଳେ ଖିରେଇଟାଙ୍ଗିରୀ ଶିଶୁ ମନ୍ଦିର ନିକଟରେ ଏକ କେଣ୍ଟନର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଖବରଲେଖା ହେବା ସୁଦ୍ଧା ଘଟଣାସ୍ଥଳରେ ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମଣୀ ମହାନ୍ତି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି।