ନୂଆଦିଲ୍ଲୀ,୧୧।୬: ଷ୍ଟ୍ରେଟ ଅଫ ହର୍ମୁଜ ନିକଟ ଓମାନ ଉପକୂଳରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ଦୁଇ ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଛି। ଫରୱାର୍ଡ ସିମ୍ୟାନ ୟୁନିଅନ ଅଫ ଇଣ୍ଡିଆ’ (FSUI) ଏହି ଘଟଣାକୁ ନିଶ୍ଚିତ କରିଛି। ଏହି ଆକ୍ରମଣରେ ଜାହାଜର ଚିଫ୍ ଇଞ୍ଜିନିୟର ଏବେ ମଧ୍ୟ ନିଖୋଜ ଅଛନ୍ତି।
FSUIର ମହାସଚିବ ମନୋଜ ଯାଦବ କହିଛନ୍ତି ଯେ, ଆକ୍ରମଣ ଯୋଗୁ ଜାହାଜରେ ଥିବା ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଯାହାଫଳରେ ସେମାନଙ୍କ ସହ ସମ୍ପର୍କ କରିବା କଷ୍ଟକର ହୋଇପଡ଼ିଛି। ମୃତ ଏବଂ ନିଖୋଜ ଥିବା ତିନି ଜଣ ଭାରତୀୟ ନାବିକ ହିମାଚଳ ପ୍ରଦେଶ, ଦେବରିଆ (ଉତ୍ତର ପ୍ରଦେଶ) ଏବଂ ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡ଼ିଛି।
ଏକ ସାକ୍ଷାତକାରରେ ମନୋଜ ଆମେରିକା ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ‘ମୁଁ ଏହା ମାନିବାକୁ ପ୍ରସ୍ତୁତ ନୁହେଁ ଯେ ଆମେରିକା ନୌସେନା ପାଖରେ ଜାହାଜରେ ଭାରତୀୟ ନାଗରିକ ଥିବା ନେଇ ସୂଚନା ନ ଥିଲା। ଜାହାଜରେ କେତେ ଜଣ ଭାରତୀୟ ଏବଂ ବିଦେଶୀ ଅଛନ୍ତି, ସେ ସମ୍ପର୍କରେ ଆମେରିକା ନିଶ୍ଚିତ ଭାବେ ଜାଣିଥିଲା। ଯଦି ଜାହାଜ ସେମାନଙ୍କ ନିର୍ଦ୍ଦେଶ ପାଳନ କରୁ ନ ଥିଲା, ତେବେ ସେମାନଙ୍କୁ ଗୁଳି କରିବା ବଦଳରେ ଅଟକ ରଖିବାର ବିକଳ୍ପ ଆମେରିକା ପାଖରେ ଥିଲା।”
ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଏହି ଆକ୍ରମଣ ଏବଂ ଭାରତୀୟ ନାବିକଙ୍କ ମୃତ୍ୟୁକୁ ନେଇ ଭାରତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଗଭୀର ଚିନ୍ତା ପ୍ରକଟ କରିବା ସହ କଡ଼ା ଚେତାବନୀ ଦେଇଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରୀଶ ସୁରକ୍ଷା ପରିଷଦକୁ ସମ୍ବୋଧିତ କରି କହିଛନ୍ତି ଯେ, ବାଣିଜ୍ୟିକ ଜାହାଜଗୁଡ଼ିକୁ ଏଭଳି ଟାର୍ଗେଟ କରାଯିବା ଆଦୌ ଗ୍ରହଣୀୟ ନୁହେଁ। ବଢ଼ୁଥିବା ଆଞ୍ଚଳିକ ତିକ୍ତତା ମଧ୍ୟରେ ସାମୁଦ୍ରିକ ମାର୍ଗରେ ଜାହାଜଗୁଡ଼ିକର ମୁକ୍ତ ଏବଂ ବାଧାହୀନ ଚଳାଚଳ ସୁନିଶ୍ଚିତ ହେବା ଜରୁରୀ।
Dharitri – Odisha’s No.1 Odia Daily