ଶିକ୍ଷକଙ୍କ ବଦଳିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଆକ୍ରମଣରେ ବିଇଓଙ୍କ ସମେତ ୩ ଗୁରୁତର

ସୋର, ୧୨ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଟେଣ୍ଟେଇ ଭିକାରୀ ଚରଣ ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ବଦଳିକୁ କେନ୍ଦ୍ର କରି ସୋମବାର ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରଣକ୍ଷେତ୍ର। ପାଲଟିଥିଲା। ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଆକ୍ରମଣରେ ବିଇଓ(ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ)ଙ୍କ ସମେତ ୩ଜଣ ଗୁରୁତର ହୋଇଛନ୍ତି। ସୋର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପଣ୍ଡା ବିଇଓଙ୍କୁ ନିଜ ଗାଡ଼ିରେ ନେଇ ସୋର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଟେଣ୍ଟେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ମହାଳିକ ଓ ପରମାନନ୍ଦ ମହାଳିକ ମଧ୍ୟ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଓ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କର ଯୁଗ୍ମ ଜନଶୁଣାଣି ଶିବିର ଥିଲା। ଜିଲାପାଳ ଶିନ୍ଦେ ଓ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଚାଲିଯିବା ପରେ ଶିବିରରେ ଏଡିଏମ୍‌ ନିଲୁ ମହାପାତ୍ର, ଉପଜିଲାପାଳ କିଶୋର ଚନ୍ଦ୍ର ସ୍ବାଇଁ, ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ଓ ସୋର ଦାୟିତ୍ୱରେ ଥିବା ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନା ଉପସ୍ଥିତ ଥିଲେ। ଏହି ସମୟରେ ଏକ ଗୋଷ୍ଠୀ ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଟେଣ୍ଟେଇ ଭିକାରୀ ଚରଣ ଉଚ୍ଚ ବିଦ୍ୟାପୀଠ ଆଗରେ ଚାଲିଥିବା ଧାରଣାସ୍ଥଳକୁ ଯାଇ ଅଭିଭାବକ ଓ ଗ୍ରାମବାସୀଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ ବିଇଓଙ୍କୁ କହିଥିଲେ। ହେଲେ ବିଇଓ ଜେନା ଅମଙ୍ଗ ହେବାରୁ ସେମାନେ ଠେଲାପେଲା କରିଥିଲେ। ସେ ତଳେ ପଡ଼ିଯିବାରୁ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା। ଅନ୍ୟପକ୍ଷରେ ଶିକ୍ଷକଙ୍କ ବଦଳି ସପକ୍ଷବାଦୀ ଗୋଷ୍ଠୀଙ୍କ ମାଡ଼ରେ ଟେଣ୍ଟେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ମହାଳିକଙ୍କ ସହ ପରମାନନ୍ଦ ମହାଳିକ ମଧ୍ୟ ଗୁରୁତର ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଟେଣ୍ଟେଇ ଭିକାରୀ ଚରଣ ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ବିଜୟ କୁମାର ବିଶ୍ୱାଳଙ୍କ ବିରୋଧରେ ବିଦ୍ୟାଳୟ ଅର୍ଥ ହେରଫେର ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଔପଦା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଶିକ୍ଷକ ବିଶ୍ୱାଳଙ୍କୁ ଅନ୍ୟ ବିଦ୍ୟାଳୟକୁ ଡେପୁଟେଶନ୍‌ରେ ପଠାଯାଇଥିଲା। ଏହି ଡେପୁଟେଶନ ବାତିଲ ଦାବିରେ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଛାତ୍ରୀଛାତ୍ର ଧାରଣାରେ ବସିଥିଲେ। ଟେଣ୍ଟେଇ ପଞ୍ଚାୟତରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ହେଉଥିବା ଟଣାଓଟରାରୁ ଏଭଳି ଗଣ୍ଡଗୋଳ ଉପୁଜିଥିବା ସାଧାରଣରେ ଚର୍ଚ୍ଚା ହେଉଛି।