ପୁଣି ଖୋଲିଲା ଘୋଡାହାଡ ଡ଼୍ୟାମର ୨ ଗେଟ୍, ଫାସିଗୁଡ଼ା ଗାଁରେ ପଶିଲା ପାଣି

ଦିଗପହଣ୍ଡି,୨୯ା୧୦(ଅଶେଷ ନାଥ ମିଶ୍ର): ବଙ୍ଗୋପସାଗରରୁ ଘନୀଭୂତ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି । ଏହି କାରଣରୁ ଗଞ୍ଜାମ ଜିଲା ଘୋଡାହାଡ ଡ଼୍ୟାମରୁ ସ୍ପିଲ୍ ୱେ ମୁଖ୍ୟ ଫାଟକର ସମୁଦାୟ ୭ଟି ଗେଟ୍ ମଧ୍ୟରୁ ୨ ଗେଟ୍ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ସୋମବାର ରାତି ପ୍ରାୟ ୧୦ ଟାରୁ ପାଣି ଛଡ଼ାଯାଉଥିଲା । ତେବେ ବୁଧବାର ରାତି ପ୍ରାୟ ୧୨ ଟାରେ ଆଉ ୨ ଟି ଗେଟ୍ ଖୋଲା ଯାଇ ନଦୀ ଗର୍ଭକୁ ପାଣି ଛାଡ଼ାଯାଉଥିବା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସ କହିଛନେତି । ଫଳରେ ନଦୀରେ ବନ୍ୟା ବିଭୀଷିକା ଦେଖାଦେଇଛି ।

ତିଳେଶ୍ୱର, ଆମ୍ବଗାଁ, ପାଟପୁର, ମହାନଳା, ଜୟ ନଗର, ଉସ୍ତା ଜଗନ୍ନାଥପୁର, ଜଲମରା, ଆଡ଼ପଡ଼ା, ଖଲିଙ୍ଗି, କଇଠବେଢ଼ା, କୁରୁଳା, ଏରେନ୍ଡ୍ରା, ପଥରପୁଞ୍ଜି ପ୍ରଭୃତି ଗାଁମାନଙ୍କରେ ନଦୀର କୁଳହୁଡ଼ା ଭାଙ୍ଗିଯିବା ଆଶଙ୍କା ରହିଛି । କେତେକ ଗାଁରେ ବନ୍ୟା ପାଣି ପଶିଥିବା ମଧ୍ୟ ସୂଚନା ମିଳିଛି । ସେହିପରି ସାନଖେମୁଣ୍ଡି ବ୍ଲକର ନରସିଂହଗଡ଼, ସିଙ୍ଗପୁର, ପାଟପୁର, ଜିଉରା, ଗୌତମୀ, ୨ ୟଧର୍ମପୁର, ମଳାଭଞ୍ଜା, ଖୋଲଡି ପ୍ରଭୃତି ଗାଁ ମାନଙ୍କରେ ସମସ୍ତ ଚାଷଜମି ଧାନଗଛ, ପନିପରିବା ପାଣିରେ ବୁଡି ରହିଛି । ବ୍ରହ୍ମପୁର ସ୍ଥିତ ଋଷିକୂଲ୍ୟା, ବାହୁଦା ଅବବାହିକା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ.ରବିନ୍ଦ୍ର ନାଥ ସେଠୀ, ଚିକିଟି ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ.ସୁବ୍ରତ ପଟ୍ଟନାୟକ, ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ଡ଼୍ୟାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ସେହିପରି ଦିଗପହଣ୍ଡି ବ୍ଲକର ଫାସିଗୁଡ଼ା ଗ୍ରାମରେ ଗୋପାଳଗଣ୍ଡ ତପ୍ତପାଣି ଖାରି ନାଳର ପାଣି ଅନେକ ଲୋକଙ୍କ ଘରେ ପଶିଯାଇଛି। ବୁଧବାର ସନ୍ଧ୍ୟାରେ ଗ୍ରାମର ଭାଗବତ ମନ୍ଦିର କୁ ପ୍ରସାଦ ଖାଇବାକୁ ଯାଇଥିବା ୧୪ ଜଣ ମହିଳା ଓ ଅନ୍ୟ କିଛି ବ୍ୟକ୍ତି ଜଳବନ୍ଦୀ ଅବସ୍ଥାରେ ଫସି ରହିଥିଲେ । ଉଦ୍ଧାରକାରୀ ଓଡ୍ରାଫ୍ ଟିମ୍ ଜଣେ ମହିଳାଙ୍କୁ ବହୁ କଷ୍ଟରେ ଉଦ୍ଧାର କରିଥିବା ବେଳେ ପାଣିର ପ୍ରଖର ସ୍ରୋତ ଥିବାରୁ ରାତିରେ ସେମାନଙ୍କୁ ଉଦ୍ଧାର କରିନପାରି ଉଦ୍ଧାରକାରୀ ଦଳ ଫେରିଆସିଥିବା ଜଣାପଡ଼ିଛି । ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନଙ୍କ ଠାରୁ ଖବରପାଇ ତହସିଲଦାର ସନ୍ତୋଷ କୁମାର ସାହୁ, ବିଡ଼ିଓ ଅନାମିକା ପାଣ୍ଡେ ଏବଂ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ସେଠାରେ ଉପସ୍ଥିତ ରହି ଫସି ରହିଥିବା ମହିଳା ଓ ପୁରୁଷ ମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିବା ଜଣାପଡ଼ିଛି ।

ଦିଗପହଣ୍ଡିରେ ବୁଧବାର ସକାଳ ୬ ଟାରୁ ଗୁରୁବାର ସକାଳ ୬ ଟା ମଧ୍ୟରେ ୨୧୦ ମିଲି ମିଟର ବର୍ଷା ହୋଇଥିବା ବେଳେ ଘୋଡ଼ାହାଡ଼ ଡ଼୍ୟାମ ରେ ୨୫୫ ମିି. ମି ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି । ଡ଼୍ୟାମର ଉପରମୁଣ୍ଡରେ ଥିବା ଗଜପତି ଜିଲାର ବିଭିନ୍ନ ଅଞ୍ଚଳରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସୋମବାର ରାତି ରୁ ବର୍ଷା ଲାଗିରହିଛି।ଲଗାଣ ବର୍ଷା ପ୍ରଭାବରେ ନଦୀ,ନାଳ ଓ ଶାଖା ନଦୀ ମାନଙ୍କରେ ପ୍ରବାହିତ ବନ୍ୟାଜଳ ଘଣ୍ଟା ପ୍ରତି ୧୪୦ କ୍ୟୁମେକ୍ ଡ଼୍ୟାମ ମଧ୍ୟକୁ ପ୍ରବେଶ କରୁଛି। ତେଣୁ ରାଜ୍ୟ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଡ଼୍ୟାମ ରୁ ନଦୀ ମଧ୍ୟକୁ ଘଣ୍ଟା ପ୍ରତି ୩୭ କ୍ୟୁମେକ୍ ଜଳ ନଦୀ ମଧ୍ୟକୁ ଛଡା ଯାଉଥିବା ଜଣାପଡିଛି । ନଦୀରେ ବନ୍ୟାଜଳ ପ୍ରବାହିତ ହେବାରୁ ନଦୀ ତଟବର୍ତ୍ତୀ  ଗୋଲଣ୍ଡା, ମଧୁବନ, ସେବକ ଟିକରପଡ଼ା, କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି,ଗୁମା, ପନାଡ, ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା, ଆମ୍ବ ଗାଁ, ତିଳେଶ୍ୱର, ମହାନଳା, ପଳାଶପୁର, ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର, ଗ୍ରାମବାସୀଙ୍କୁ ନଦୀ ମଧ୍ୟକୁ ନଯିବା ସହ କୌଣସି ଗୃହପାଳିତ ପ୍ରାଣୀ ମାନଙ୍କୁ ନଛାଡିବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ପ୍ରଚାର କରାଯାଇଛି। ଡ଼୍ୟାମ ମଧ୍ୟରୁ ଛୋଟ ବଡ଼ କୁମ୍ଭୀର ଗେଟ୍ ମଧ୍ୟ ଦେଇ ନଦୀ ମଧ୍ୟକୁ ଯାଇପାରେ ବୋଲି ମଧ୍ୟ ଲୋକଙ୍କୁ ସତର୍କ କରାଯାଇଛି। ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ଗୁରୁବାର ସକାଳ ସୁଦ୍ଧା ଡ଼୍ୟାମ ରେ ୯୬ ଭାଗ  ଅର୍ଥାତ୍ ୧୧୭.୧୦ ମିଟର ପାଣି ଗଚ୍ଛିତ ରହିଥିଲା। ଡ଼୍ୟାମ ରେ ପ୍ରାୟ ୯୦ ପ୍ରତିଶତ ୧୧୬.୮୦ ମିଟର ପାଣି ରଖାଯାଇ ଉଦବୃତ୍ତ ପାଣି ନଦୀ ମଧ୍ୟକୁ ଛାଡି ଦିଆଯିବ ବୋଲି ଘୋଡ଼ାହାଡ଼ ଜଳସେଚନ କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily

Share