ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌ରେ ମର୍ମନ୍ତୁଦ ଦୁର୍ଘଟଣା, ଡାକ ପାର୍ସଲ ଗାଡ଼ି ଧକ୍କାରେ ୨ ସାଙ୍ଗ ମୃତ

ବଲାଙ୍ଗୀର,୨୪।୧୧(ସୁନିଲ କୁମାର ମହାନ୍ତି): ଏକ ଡାକ ପାର୍ସଲ ଗାଡ଼ି ଧକ୍କାରେ ଦୁଇ ସାଙ୍ଗଙ୍କ ଜୀବନ ଚାଲିଯାଇଛି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗୀର-ସମ୍ବଲପୁର ଏନଏଚ୍-୨୬ର ହୀରାପୁର ଛକ ନିକଟରେ ।

ସୂଚନା ଅନୁସାରେ, ଗୁଡ଼ଭେଲା ବ୍ଲକ କର୍ଲାଖମନ ଗାଁର ସଞ୍ଜୟ ଦତ୍ତ ବଗର୍ତି ଏବଂ ଉଜ୍ଜ୍ୱଳ ଭୋଇ ସୋମବାର ସନ୍ଧ୍ୟାରେ ଏକ ବାଇକ୍ ଯୋଗେ ଲୋଇସିଂହା ପଟରୁ ବଲାଙ୍ଗୀର ଅଭିମୁଖେ ଆସୁଥିଲେ । ଏହି ସମୟରେ ଝାଡ଼ଖଣ୍ଡ ନମ୍ବର ଥିବା ଏକ ଡାକ ପାର୍ସଲ ଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଅନ୍ୟ ଜଣଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ପୋଷ୍ଟମର୍ଟମ କରିବାକୁ ପ୍ରଥମେ ଅରାଜି ହୋଇଥିଲେ । ପରେ ଲୋଇସିଂହା ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଦୁଇ ଯୁବକଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଡାକ ପାର୍ସଲ ଗାଡ଼ିର ଡ୍ରାଇଭରଙ୍କୁ ଅଟକ ରଖିଛି ଲୋଇସିଂହା ପୋଲିସ। ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

 

Dharitri – Odisha’s No.1 Odia Daily

Share