ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ତରଜଙ୍ଗା ଗ୍ରାମର ଅମରଜ୍ୟୋତି କର(୧୯)। ଏ ନେଇ ମୃତକଙ୍କ ମା’ ଉଷାରାଣୀ କର ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା(ନଂ.୧୯୯/୨୬) ରୁଜୁକରି ପୋଲିସ ଘଟଣାରେ ସମ୍ପୃକ୍ତ ଦୁଇ ସାଙ୍ଗଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ବୋଲି ଥାନା ଅଧିକାରୀ ଅମ୍ବିକା ପ୍ରସାଦ ଦାସ କହିଛନ୍ତି।
ଅନୁଯାୟୀ, ଗତ ଜୁଲାଇ ୨୯ରେ ଘରେ ଥିବା ତାଙ୍କ ପୁଅ ଅମରଜ୍ୟୋତିଙ୍କୁ ଯୁକ୍ତ୨ରେ ପଢୁଥିବା ୨ ସାଙ୍ଗ ନିକଟସ୍ଥ ଓଲଢ଼ି ଛକକୁ ଡାକି ନେଇଥିଲେ। ସେଠାରେ ଥିବା ଏକ ମଦ ଦୋକାନରୁ ମଦ ଆଣି ସେମାନେ କୌଶଳକ୍ରମେ ପୁଅକୁ ପିଆଇ ଦେଇଥିଲେ। ନିଶାହେବା ପରେ ସେମାନେ ଅମରଜ୍ୟୋତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଅଚେତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରି ସେଠାରୁ ପଳାଇ ଯାଇଥିଲେ। ଖବର ପାଇ ଅମରଜ୍ୟୋତିଙ୍କ ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ପ୍ରଥମେ କଟକ ବଡ଼ ଡାକ୍ତରଖାନା ଓ ପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ସମୟରେ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଅମରଜ୍ୟୋତି କହିଥିବା ତାଙ୍କ ମା’ କହିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୁବନେଶ୍ୱରର ଉକ୍ତ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।

Odisha’s No.1 Odia Daily