ହାତୀ ଉପଦ୍ରବ: ୨ ବନ କର୍ମଚାରୀଙ୍କୁ ଅଟକାଇଲେ ଗ୍ରାମବାସୀ

ହିନ୍ଦୋଳ,୨୮ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଗ୍ରାମବାସୀ ହାତୀ ଉପଦ୍ରବ ଯୋଗୁ ଶନିବାର ଦୁଇ ବନ କର୍ମଚାରୀଙ୍କୁ ଅଟକ ରଖିବା ସହ ହିନ୍ଦୋଳ-ଅନୁଗୋଳ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଦୁଇପାର୍ଶ୍ୱରେ ବହୁ ଗାଡ଼ିମୋଟର ଅଟକି ରହିଛି।

 

ଗ୍ରାମବାସୀ କହିଛନ୍ତି, ଗତ ୧୫ ଦିନ ହେଲା ଗୋଟିଏ ହାତୀ ଅଞ୍ଚଳରେ ଧାନବିଲରେ ପଶି ଖାଇବା ସହ ବହୁ ଧନଜୀବନ ନଷ୍ଟ କରୁଛି। ଆଜି ଏହାର ପ୍ରତିବାଦରେ ଗ୍ରାମବାସୀ ବିଗତ ଦୁଇ ଘଣ୍ଟା ଧରି ବନ ବିଭାଗରେ କାର୍ଯ୍ୟରତ ଦୁଇ କର୍ମଚାରୀ ପ୍ରଫୁଲ୍ଲ ବିଶ୍ୱାଳ ଓ ମକରା ବେହେରାଙ୍କୁ ଅଟକ ରଖିଛନ୍ତି। ଏ ସମ୍ପର୍କରେ ଦୁଇ କର୍ମଚାରୀ ବନାଞ୍ଚଳ ଅଧିକାରୀଙ୍କୁ ଫୋନ୍‌ ଦ୍ୱାରା ଜଣାଇ ଥିଲେ ବି କେହି ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ଉତ୍ତ୍ୟକ୍ତ ଲୋକମାନେ ବାଉଁଶପୋଖରୀଠାରେ ହିନ୍ଦୋଳ-ଅନୁଗୋଳ ରାସ୍ତା ଅବରୋଧ କରିଛନ୍ତି।