ବାଇକ୍‌ ଦୁର୍ଘଟଣାରେ ଗଲା ୨ ଜୀବନ

ବଡ଼ଗାଁ, ୯।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ କଣ୍ଟିଆମୁରା ଗାଁ ନିକଟ ୧୦ ନମ୍ବର ରାଜପଥରେ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କଣ୍ଟିଆମୁରା ଗ୍ରାମର ଅନିଲ ଖଡ଼ିଆ (୩୮) ଓ ବାଇବାଇ ଗ୍ରାମର ସଞ୍ଜୟ କିଷାନ (୨୨)।

ମିଳିଥିବା ସୂଚନା ମୁତାବକ, ଅନିଲ ଓ ବିରଙ୍ଗାଟୋଲି ଗ୍ରାମର ବୈଦ୍ୟନାଥ ନାଏକ(୬୦) ରାଜଗାଙ୍ଗପୁରରେ ଏକ କମ୍ପାନୀରେ ଡ୍ୟୁଟିସାରି ଘରକୁ ବାଇକ୍‌ରେ ଫେରୁଥିଲେ। ସଞ୍ଜୟ ଓ ତାଙ୍କର ସମ୍ପର୍କୀୟ ଭାଇ ଧରୁଆଡିହି ଥାନା ଲମତି ଗ୍ରାମର ଦେବାନନ୍ଦ କିଷାନ(୨୨) ଅନ୍ୟ ଏକ ବାଇକ୍‌ରେ ବାଇବାଇ ଗ୍ରାମକୁ ଫେରୁଥିଲେ। କଣ୍ଟିଆମୁରା ଗାଁ ନିକଟରେ ରାସ୍ତା ଅତିକ୍ରମ କରିବାବେଳେ ଦୁଇ ବାଇକ୍‌ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଅନିଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟଙ୍କ ମୃତ୍ୟୁ ହୋଇଛି।